ନୂଆଦିଲ୍ଲୀ: ଆପଣମାନେ ପ୍ରଦାନ କରିଥିବା ସ୍ନେହ, ପ୍ରେମ, ଆଶୀର୍ବାଦ ପାଇଁ ମୁଁ ସମସ୍ତ ଦେଶବାସୀଙ୍କ ନିକଟରେ ଋଣୀ। ଆଜି ପବିତ୍ର ଦିନରେ ଏନଡିଏ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ ନିମନ୍ତେ ଜନାଦେଶ ପାଇଛି। ଏଥିପାଇଁ ଆମେ ସମସ୍ତେ ଜନତା ଜନାର୍ଦ୍ଦନଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ। ଆଜିର ଏହି ବିଜୟ ଦୁନିଆର ସବୁଠୁ ବଡ଼ ‌ଗଣତନ୍ତ୍ରର ବିଜୟ। ଏହା ଭାରତର ସମ୍ବିଧାନର ବିଜୟ। ଏହା ‘ସବ୍‌କା ସାଥ୍‌, ସବକା ବିକାଶ’ ମନ୍ତ୍ରର ବିଜୟ। ୧୪୦ କୋଟି ଭାରତୀୟଙ୍କ ବିଜୟ। ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆଜି ସନ୍ଧ୍ୟାରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ମନ୍ତବ୍ୟ ରଖିଛନ୍ତି।

Advertisment

ମୋଦୀ ଆରମ୍ଭରୁ ଭାରତ ମାତା ଏବଂ ଜୟ ଜଗନ୍ନାଥ ସ୍ଲୋଗାନରୁ ତାଙ୍କ ଭାଷଣ ଆରମ୍ଭ କରିଥିଲେ। ବିଜେପି ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି। ଏଥିସହିତ ଲୋକସଭା ନିର୍ବାଚନରେ ବିଜେପି ଉତ୍ତମ ପ୍ରଦର୍ଶନ କରିଛି। ପ୍ରଥମ ଥର ପାଇଁ ଜଗନ୍ନାଥଙ୍କ ଭୂମିରେ ବିଜେପିର ମୁଖ୍ୟମନ୍ତ୍ରୀ ହେବ‌ାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଓ ଏନଡିଏ ଉତ୍ତମ ପ୍ରଦର୍ଶନ କରିଛି। ଏହି ପରିପ୍ରେକ୍ଷୀରେ ଏସବୁ ରାଜ୍ୟର ଲୋକଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ବାସ ଦେବାକୁ ଯାଇ କହିଛନ୍ତି ଯେ ସରକାର ସେସବୁ ରାଜ୍ୟର ବିକାଶ ପାଇଁ କୌଣସି ଉଦ୍ୟମ ହାତଛଡ଼ା କରିବେ ନାହିଁ। ତୃତୀୟ ଥର ପାଇଁ ଯେଉଁ ଆଶୀର୍ବାଦ ଏନଡିଏକୁ ମିଳିଛି ସେଥିପାଇଁ ଜନତା ଜନାର୍ଦ୍ଦନଙ୍କ ନିକଟରେ ବିନୟ ଭାବ ସହିତ ‌ନତମସ୍ତକ ହେଉଛି। ୧୯୬୨ ମସିହା ପରେ ପ୍ରଥମ ଥର ପାଇଁ କୌଣସି ସରକାର ଦ୍ବିତୀୟ କାର୍ଯ୍ୟକାଳ ପୂରଣ କରିବା ପରେ ତୃତୀୟ ଥର କ୍ଷମତାକୁ ଆସିଛି। ରାଜ୍ୟରେ ଯେଉଁଠି ବିଧାନସଭା ନିର୍ବାଚନ ହୋଇଛି ସେଠାରେ ଏନଡିଏକୁ ବଡ଼ ବିଜୟ ‌ମିଳିଛି। ଅରୁଣାଚଳପ୍ରଦେଶ, ଆନ୍ଧ୍ର‌ପ୍ରଦେଶ, ସିକ୍କିମ ଏବଂ ଓଡ଼ିଶା ଆଦିରେ ବିଜେପି ଓ ଏନଡିଏକୁ ବିପୁଳ ବିଜୟ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭାରତକୁ ତୃତୀୟ ବଡ଼ ଅର୍ଥନୀତିରେ ପରିଣତ ପାଇଁ ପୂରା ଦମ୍‌ରେ କାମ କରିବୁ
ଦୁର୍ନୀତିର ମୂଳୋତ୍ପାଟନ କରାଯିବ

‘ରାଷ୍ଟ୍ର ପ୍ରଥମ’ ଭାବନା ଆମକୁ ଅସମ୍ଭବକୁ ସମ୍ଭବ କରିବାର ଶକ୍ତି ଦେଇଛି। ସ୍ବାଧୀନତାର ୭୦ ବର୍ଷ ପରେ ‌୪ କୋଟି ଲୋକଙ୍କୁ ଘର ‌ଯୋଗାଇ ଦିଆଯାଇଛି। ଜମ୍ମୁ କଶ୍ମୀରରୁ ଧାରା ୩୭୦କୁ ଉଠାଯାଇଛି। ଜିଏସଟି ଏବଂ ଆଇବିସିରେ ସଂସ୍କାର ଅଣାଯାଇଛି। ଆଜି ଭାରତ ବିଶ୍ବର ସବୁଠୁ ଅଧିକ ବେଗରେ ଆଗକୁ ବଢ଼ୁଥିବା ଅର୍ଥନୀତିରେ ପରିଣତ ହୋଇଛି। ଭାରତ ଆଜି ଅନେକ କ୍ଷେତ୍ରରେ ଆତ୍ମନିର୍ଭର ହୋଇଛି। ଆମ ସାମ୍ନାରେ ବିକଶିତ ଭାରତର ଏକ ମହାନ ସଂକଳ୍ପ ରହିଛି। ‌୧୦ ବର୍ଷ ଲଗାତାର ଶାସନ ପରେ ତୃତୀୟ ବିଜୟ ‌ମୋତେ କାର୍ଯ୍ୟ କରିବା ଲାଗି ନୂଆ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିଛି। ଲୋକସଭା ନିର୍ବାଚନରେ ଯେତିକି ଆସନ ଏକୁଟିଆ ବିଜେପି ଜିତିଛି ବିରୋଧୀ ଇଣ୍ଡି ମେଣ୍ଟ ସେତିକି ଆସନ ଜିତି ପାରିନାହିଁ। ଆପଣମାନଙ୍କ ପରିଶ୍ରମ ମୋତେ ନିରନ୍ତର କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଛି। ଆପଣମାନେ ୧୦ ଘଣ୍ଟା କାମ କଲେ ମୁଁ ୧୮ ଘଣ୍ଟା କାମ କରିବି। ଆପଣ ଦୁଇ ପାଦ ଚାଲିଲେ ମୁଁ ୪ ପାଦ ଚାଲିବି। ଏହା ମୋଦୀ ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ ୧୦ ବର୍ଷରେ ଆମେ ୨୫ କୋଟି ଲୋକଙ୍କୁ ଗରିବୀରୁ ବାହାରକୁ ଆଣିଛୁ। ଭାରତ ଅନେକ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ବିଶ୍ବର ଦ୍ବିତୀୟ ବୃହତ୍ ମୋବାଇଲ ଫୋନ ନିର୍ମାତା ହୋଇଛି। ଯୁବକଙ୍କୁ ଶିକ୍ଷା, ରୋଜଗାର ଏବଂ ସ୍ବରୋଜଗାର କ୍ଷେତ୍ରରେ ସଶକ୍ତ କରିବୁ। କୃଷକମାନଙ୍କୁ ଆତ୍ମନିର୍ଭର କରିବା ଲାଗି କାର୍ଯ୍ୟ ଜାରି ରଖିବୁ। ସବୁଜ ଶକ୍ତି ଓ ଶିଳ୍ପାୟନ କ୍ଷେତ୍ରରେ ନିବେଶ ବଢ଼ାଇ ଭାରତକୁ ଆଗକୁ ନେବୁ। ଭାରତକୁ ତୃତୀୟ ବୃହତ ଅର୍ଥନୀତିରେ ପରିଣତ କରିବା ଲାଗି ସରକାର ପୂରା ଶକ୍ତିର ସହିତ କାର୍ଯ୍ୟ କରିବ। ଦୁର୍ନୀତି ଉପରେ ଲଗାତାର ପ୍ରହାର ଜାରି ରହିବ। ଦୁର୍ନୀତି ବିରୋଧୀ ଲଢ଼େଇ ଦିନକୁ ଦିନ କଠିନ ହେଉଛି। ସବୁ ପ୍ରକାର ଦୁର୍ନୀତିକୁ ଆସନ୍ତା ୫ ବର୍ଷରେ ମୂଳୋତ୍ପାଟନ କରାଯିବ ବୋଲି ମୋଦୀ କହିଛନ୍ତି।
ଆମ ସମ୍ବିଧାନ ଆମର ମାର୍ଗଦର୍ଶିକା। ସମ୍ବିଧାନକୁ ଚଳିତବର୍ଷ ୭୫ ବର୍ଷ ହେବାକୁ ଯାଉଛି। ରାଷ୍ଟ୍ରନୀତି ପାଇଁ ସମସ୍ତଙ୍କୁ ମିଶିକରି କାମ କରିବାକୁ ପଡ଼ିବ। ୬ ଦଶକ ପରେ ଦେଶର ମତଦାତାମାନେ ନୂଆ ଇତିହାସ ରଚିଛନ୍ତି। ତୃତୀୟ ଥର ଲୋକଙ୍କ ସେବା କରିବାକୁ ଏନଡିଏକୁ ସୁଯୋଗ ଦେଇଛନ୍ତି ବୋଲି ମୋଦୀ କହିଛନ୍ତି। ଏହି ଅବସରରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।