୧.୩୫ ଲକ୍ଷ ଆଦିବାସୀ ଗାଁରେ ବିଜେପି ପାଳନ କରିବ ବିଜୟ ଉତ୍ସବ

ନୂଆଦିଲ୍ଲୀ : ଦେଶର ୧.୩୫ ଲକ୍ଷ ଆଦିବାସୀ ବହୁଳ ଗାଁରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ଭାରତୀୟ ଜନତା ପାର୍ଟି ବିଜୟ ଉତ୍ସବ ପାଳନ କରିବ। ଏଥି ପାଇଁ ସାଂସଦ ଓ ବିଧାୟକମାନଙ୍କୁ ଏହାର ଦାୟିତ୍ବ ନ୍ୟସ୍ତ କରାଯାଇଛି।

ବିଜେପି ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ପଦରେ ଅବସ୍ଥାପିତ କରିଛି ବୋଲି ଆଦିବାସୀଙ୍କୁ ବାର୍ତ୍ତା ଦିଆଯିବ। ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବା ପ‌ରେ ସାମାଜିକ ସମୀକରଣ ଉପରେ ବ୍ୟାପକ ପ୍ରଭାବ ପଡ଼ିବ ବୋଲି ଦଳ ହୃଦ୍‌ବୋଧ କରିଛି। ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ୪୫ ଟି ଲୋକସଭା ଏବଂ ୫୫୬ଟି ବିଧାନସଭା ଆସନରେ ବିଜେପିକୁ ଫାଇଦା ମିଳିବ ବୋଲି ଆଶା କରାଯାଉଛି। ଏହା ବାଦ୍‌ ଅନ୍ୟ ଆସନମାନଙ୍କରେ ମଧ୍ୟ ଏହି ବର୍ଗର ସମର୍ଥନ ମିଳିବ ବୋଲି ବିଜେପି ଆଶା ରଖିଛି।

୨୦୨୪ର ସାଧାରଣ ନିର୍ବାଚନର ରଣନୀତିରେ ଦଳ ଏହାର ଭରପୂର ଉପଯୋଗ କରିବ ବୋଲି ରାଜନୀତି ସମୀକ୍ଷକଙ୍କ ମତ। ଗତକାଲି ଠାରୁ କିଛି ରାଜ୍ୟରେ ବିଜୟ ଉତ୍ସବ ପାଳନ କରାଯାଉଛି। ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେବା ସହିତ ଏହା ଶେଷ ହେବ। ଦେଶରେ ୧୦୦ଟି ଲୋକସଭା ଆସନରେ ଆଦିବାସୀମାନଙ୍କର ନିର୍ଣ୍ଣାୟକ ଭୂମିକା ରହିଛି। ଓଡ଼ିଶା, ଛତିଶଗଡ଼, ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ଆଦିବାସୀ ବର୍ଗ ପ୍ରଭାବଶାଳୀ। ଏହି ସବୁ ରାଜ୍ୟମାନଙ୍କରେ ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ ପୋଷ୍ଟର ଲଗାଯାଇଥିଲା। ବିଜେପି ଏହାର ଫାଇଦା ସର୍ବପ୍ରଥମେ ଗୁଜରାଟରେ ନେବା ପାଇଁ ଚାହୁଁଛି, ଯେଉଁଠି ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ।

ସମ୍ବନ୍ଧିତ ଖବର