ବିରୋଧୀଙ୍କ ‘କଳା ଦିବସ’ର ଜବାବରେ ଭାଜପା ପାଳିବ କଳାଧନ ବିରୋଧୀ ଦିବସ

ନୂଆଦିଲ୍ଲୀ: ବିମୁଦ୍ରାୟନକୁ ବର୍ଷେ ପୂରିବ ଆସନ୍ତା ମାସ ୮ ତାରିଖରେ। ଏହାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି। ବିରୋଧୀ କଂଗ୍ରେସ ନଭେମ୍ବର ୮କୁ ‘କଳା ଦିବସ’ ଭାବେ ପାଳନ କରିବ ବୋଲି ଘୋଷଣା କରିବା ପରେ ଶାସକ ଭାରତୀୟ ଜନତା ପାର୍ଟି ଏହି ଦିବସକୁ ‘କଳାଧନ ବିରୋଧୀ ଦିବସ’ ଭାବେ ପାଳନ କରିବା ବୋଲି ଘୋଷଣା କରିଛି। ଏହାକୁ ନେଇ ଆରମ୍ଭ ହୋଇଯାଇଛି ବୟାନବାଜି।

ଶାସକ ଦଳର ମଙ୍ଗ ଧରିଛନ୍ତି ଖୋଦ ଅର୍ଥମନ୍ତ୍ରୀ। ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଭାରତୀୟ ଜନତା ପାର୍ଟି ନଭେମ୍ବର ୮କୁ କଳାଧନ ବିରୋଧୀ ଦିବସ ଭାବେ ପାଳନ କରିବ ବୋଲି କହିଛନ୍ତି। ଏ ସଂପର୍କରେ ସେ ଆହୁରି ମଧ୍ୟ କହିଛନ୍ତି କି ‘କଂଗ୍ରେସ ସମେତ ବିରୋଧୀ ଦଳ ନଭେମ୍ବର ୮କୁ କଳା ଦିବସ ରୂପେ ପାଳିବେ ବୋଲି ଘୋଷଣା କରିଛନ୍ତି। ମାତ୍ର କଂଗ୍ରେସ ଶାସନରେ ଥିବା ବେଳେ କଳାଧନ ଅପସାରଣ ଲାଗି କୌଣସି ପଦକ୍ଷେପ ନେଇନାହିଁ। କଂଗ୍ରେସ ପାଖରେ କଳାଧନ ବିରୋଧୀ କାର୍ଯ୍ୟାନୁଷ୍ଠାନ ଲାଗି ବହୁ ସୁଯୋଗ ଥିଲା। କିନ୍ତୁ ସେମାନେ ଆଦୌ ଏ ଦିଗରେ ମନ ଦେଇ ନଥିଲେ।’

ଅନ୍ୟପକ୍ଷରେ ମିଳିତ ବିରୋଧୀ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ବାଦିକ ସମ୍ମିଳନୀ ଡକାଯାଇ ‘କଳା ଦିବସ’ ପାଳନ ନେଇ ସ୍ପଷ୍ଟ କରାଯାଇଛି। ବିରୋଧୀ ଦଳ ଗୁଡ଼ିକ ଦ୍ୱାରା ଗଠିତ ସଂଯୋଜନା କମିଟି ଏ ନେଇ ମତାମତ ଜାରି କରିବାକୁ ବରିଷ୍ଠ କଂଗ୍ରେସ ନେତା ତଥା ଅନ୍ୟ ସଭା ସାଂସଦ ଗୁଲାମ ନବୀ ଆଜାଦଙ୍କୁ ଦାୟିତ୍ୱ ଦେଇଛି। ନଭେମ୍ବର ୮ ତାରିଖ ଦିନ ବିରୋଧୀ ଦଳଗୁଡ଼ିକ କିଭଳି ପ୍ରତିବାଦ କରିବେ ସେ ନେଇ ରୋଡମ୍ୟାପ୍‌ ପ୍ରସ୍ତୁତ ହୋଇଛି।

ଗୁଲାମ ନବୀ ଆଜାଦ କହିଛନ୍ତି ଯେ ବିମୁଦ୍ରାୟନ ହେଉଛି ଏ ଶତାବ୍ଦୀର ସବୁଡ଼ାରୁ ବଡ଼ ଦୁର୍ନୀତି। ଏହାର ପ୍ରତିବାଦରେ ଆମେ ‘କଳା ଦିବସ’ ପାଳନ କରୁଛୁ।

ଉଲ୍ଲେଖଯୋଗ୍ୟ କି ୨୦୧୬ ନଭେମ୍ବର ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନକୁ ରଦ୍ଦ କରିଥିଲେ। ସେ କଳାଧନକୁ ରୋକିବା ଲାଗି ଏହି ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ଦେଶବାସୀଙ୍କୁ ଏକ ବାର୍ତ୍ତା ମାଧ୍ୟମରେ ଜଣାଇଥିଲେ।

ସମ୍ବନ୍ଧିତ ଖବର