କୋଲକାତା : ଜୁଲାଇ ୨୪ରେ ପଶ୍ଚିମବଙ୍ଗର ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବିଜେପି ଏଠାରୁ ଏହାର ପ୍ରଥମ ରାଜ୍ୟସଭା ଆସନ ପାଇବାକୁ ଯାଉଛି। ବାକି ୫ଟି ଆସନରେ ଶାସକ ତୃଣମୂଳ କଂଗ୍ରେସ ଜିତିବାର ସମ୍ଭାବନା ଅଛି। ଗତ ନିର୍ବାଚନରେ ବିଜେପିର ୭୭ ଜଣ ବିଧାୟକ ଜିତିଥିବା ବେଳେ ଦଳବଦଳ ଯୋଗୁ ବର୍ତ୍ତମାନ ୭୦ ଜଣ ବିଧାୟକ ଅଛନ୍ତି। ବର୍ତ୍ତମାନ ଗୋଟିଏ ରାଜ୍ୟସଭା ଆସନରେ ବିଜେପି ଜିତିବାର ସମ୍ଭାବନା ଥିବା ବେଳେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ପ୍ରସ୍ତାବ ଦେବାକୁ କେନ୍ଦ୍ରୀୟ ନେତୃତ୍ବ ରାଜ୍ୟ ବିଜେପି ଶାଖାକୁ ନିର୍ଦ୍ଦେଶ ଦେଇଥିଲେ। ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ସ୍ଥିତି ଭିତରେ ବିଜେପି ରାଜ୍ୟ ଶାଖା ପକ୍ଷରୁ ୫ଟି ନାମ ପଠାଯାଇଥିବା ଖବର ମିଳିଛି।
୫ ସମ୍ଭାବ୍ୟ ପ୍ରାର୍ଥୀ
ମିଥୁନ ଚକ୍ରବର୍ତ୍ତୀ, ଫିଲ୍ମ ଅଭିନେତା
୭୩ ବର୍ଷୀୟ ଚଳଚ୍ଚିତ୍ର ତାରକା ମିଥୁନ ଚକ୍ରବର୍ତ୍ତୀ ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଦଳ ପାଇଁ ସେ ଖୁବ୍ ପ୍ରଚାର କରିଛନ୍ତି। ରାଜ୍ୟସଭାରେ ଦଳର ପ୍ରତିନିଧିତ୍ବ କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ପୂର୍ବରୁ ସେ ତୃଣମୂଳ କଂଗ୍ରେସରୁ ପ୍ରତିନିଧିତ୍ବ କରିଥିଲେ ମଧ୍ୟ ଏବେ ମମତା ବାନାର୍ଜୀଙ୍କର ଘୋର ବିରୋଧୀ।
ଅନନ୍ତ ମହାରାଜ, ସ୍ବତନ୍ତ୍ର ଉତ୍ତରବଙ୍ଗର ପକ୍ଷଧର
ଗ୍ରେଟର କୁଚବିହାର ପିପୁଲ୍ସ ଆସୋସିଏସନର ସର୍ବୋଚ୍ଚ ନେତା ଅନନ୍ତ ମହାରାଜ ସ୍ବତନ୍ତ୍ର ଉତ୍ତରବଙ୍ଗ ଗଠନର ପକ୍ଷଧର। ଏହି ଅଞ୍ଚଳରୁ ବିଜେପି ୨୦୧୯ ଲୋକସଭା ଓ ୨୦୨୧ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା। ସେ ଉତ୍ତରବଙ୍ଗକୁ ଏକ ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ଚାହାନ୍ତି। ବିଜେପି ଖୋଲାଖୋଲି ଭାବେ ତାଙ୍କ ଦାବିକୁ ସମର୍ଥନ କରି ନ ଥିଲେ ମଧ୍ୟ ଅନେକ ବିଜେପି ନେତା ଏହାକୁ ସମର୍ଥନ କରନ୍ତି। ପୂର୍ବରୁ ଦାବି ପୂରଣ କଲେ ସେ ବିଜେପିକୁ ସମର୍ଥନ କରିବେ ବୋଲି ସର୍ତ୍ତ ରଖିଥିଲେ। ବର୍ତ୍ତମାନ ଏହି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିଲେ ଗ୍ରେଟର କୁଚବିହାର ପିପୁଲ୍ସ ଆସୋସିଏସନ ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ସମର୍ଥନ କରିବ ବୋଲି ଜଣାପଡ଼ିଛି।
ଅନିର୍ବାଣ ଗାଙ୍ଗୁଲି, ଅମିତ ଶାହଙ୍କ ଜୀବନୀ ଲେଖକ
ଅନିର୍ବାଣ ଗାଙ୍ଗୁଲି ହେଉଛନ୍ତି ଡ ଶ୍ୟାମା ପ୍ରସାଦ ମୁଖାର୍ଜୀ ଗବେଷଣା ପ୍ରତିଷ୍ଠାନ (ଏସ୍ପିଏମ୍ଆର୍ଏଫ୍)ର ନିର୍ଦ୍ଦେଶକ। ସେ ବିଜେପିର ଜାତୀୟ କାର୍ଯ୍ୟନିର୍ବାହୀ କମିଟିର ଜଣେ ସଦସ୍ୟ ଏବଂ ପଶ୍ଚିମବଙ୍ଗ ବିଜେପି କୋର୍ କମିଟିର ମଧ୍ୟ ଏକ ଅଂଶ। ସେ ଅମିତ ଶାହଙ୍କ ଜୀବନୀ ‘ଅମିତ ଶାହ ଆଣ୍ଡ୍ ମାର୍ଚ୍ଚ ଅଫ୍ ବିଜେପି’ ପୁସ୍ତକର ଲେଖକ।
ସ୍ବପନ ଦାସଗୁପ୍ତ, ସାମ୍ବାଦିକ
ସ୍ବପନ ଦାସଗୁପ୍ତ ସାମ୍ବାଦିକରୁ ରାଜନୀତିକୁ ଆସିଛନ୍ତି। ଅନେକ ପ୍ରମୁଖ ଖବରକାଗଜରେ କାମ କରିଥିବା ଦାସଗୁପ୍ତଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା। କିନ୍ତୁ ସେ ଇସ୍ତଫା ଦେଇ ୨୦୨୧ ବିଧାନସଭା ନିର୍ବାଚନରେ ଲଢ଼ି ହାରିଥିଲେ। ଲା ମାର୍ଟିନିୟର ଓ ଅକ୍ସଫୋର୍ଡରୁ ଶିକ୍ଷାଲାଭ କରିଥିବା ଦାସଗୁପ୍ତ ଜଣେ ଖ୍ୟାତନାମା ବୁଦ୍ଧିଜୀବୀ। କଂଗ୍ରେସ ପାଇଁ ଶଶୀ ଥରୁର ଯାହା ବିଜେପି ପାଇଁ ସ୍ବପନ ଦାସଗୁପ୍ତ ତାହା ବୋଲି କୁହାଯାଏ।
ଭାରତୀ ଘୋଷ, ବିବାଦୀୟ ଆଇପିଏସ୍ ଅଫିସର
ଭାରତୀ ଘୋଷ ଜଣେ ଆଇପିଏସ୍ ଅଫିସର ଓ ମମତା ବାନାର୍ଜୀଙ୍କ ସହ ତାଙ୍କର ପୂର୍ବରୁ ଭଲ ସମ୍ପର୍କ ଥିଲା। ପରେ ମମତାଙ୍କ ସହ ସମ୍ପର୍କ ତିକ୍ତ ହେବା ପରେ ତାଙ୍କ ଘରେ ଚଢ଼ଉ କରାଗଲା। ଏହାପରେ ସେ ବିଜେପିରେ ଯୋଗ ଦେଇ ତୃଣମୂଳକୁ ଟାର୍ଗେଟ କରିବା ଆରମ୍ଭ କଲେ। ତାଙ୍କ ବିରୋଧରେ ଦୁର୍ନୀତି, ଜବରଦସ୍ତ ଟଙ୍କା ଅସୁଲି, ଜାଲିଆତି ଓ ଆପରାଧିକ ଷଡ଼୍ଯନ୍ତ୍ର ଆଦି ଅଭିଯୋଗ ରହିଛି।