ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବଡ଼ ଖବର ଆସିଛି। ଡିସେମ୍ବର ୫ ରେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ସୂଚନାନୁସାରେ, ଭାରତୀୟ ଜନତା ପାର୍ଟି (ବିଜେପି) ନୂତନ ସରକାରରେ ନିଜ ପାଖରେ ୨୧ ରୁ ୨୨ ଟି ମନ୍ତ୍ରଣାଳୟ ରଖିବ ବୋଲି ଚର୍ଚ୍ଚା ହେଉଛି। ଯେଉଁଥିରେ ଗୃହ ମନ୍ତ୍ରଣାଳୟ ମଧ୍ୟ ସାମିଲ ହେବ। ଏହା ବ୍ୟତୀତ ବିଧାନସଭାର ବାଚସ୍ପତି ତଥା ବିଧାନ ପରିଷଦର ଚେୟାରମ୍ୟାନ୍ ପଦବୀ ମଧ୍ୟ ବିଜେପି ଖାତାକୁ ଯାଇପାରେ ବୋଲି କୁହାଯାଉଛି।
ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ୧୧ରୁ ୧୨ ଟି ମନ୍ତ୍ରଣାଳୟ ପାଇବାର ସମ୍ଭାବନା ଥିବାବେଳେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ୧୦ ଟି ମନ୍ତ୍ରଣାଳୟ ଦିଆଯାଇପାରେ ବୋଲି ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ଏକନାଥ ସିନ୍ଦେ କ୍ୟାବିନେଟରେ ୧୬ଟି ମନ୍ତ୍ରଣାଳୟ ଦାବି କରିଛନ୍ତି।
ସୂଚନାନୁସାରେ, ମୁମ୍ବାଇର ଆଜାଦ ମଇଦାନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି କର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଅତିଥି ଭାବରେ ଯୋଗଦେବେ। ସିନ୍ଦେ ଦଳ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଏବଂ ଏନସିପି ଅର୍ଥ ମନ୍ତ୍ରଣାଳୟ ପାଇବାର ସମ୍ଭାବନା ରହିଛି। ପରେ ଅନ୍ୟ ମନ୍ତ୍ରଣାଳୟ ଉପରେ ସହମତି ନେଇ ଆଲୋଚନା ହେବ ବୋଲି କୁହାଯାଉଛି।
ଏହାପୂର୍ବରୁ ବିଜେପି, ସିନ୍ଦେ ଦଳ ଏବଂ ଏନସିପିର ବରିଷ୍ଠ ନେତାମାନେ ବୈଠକ କରି ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ଗଠନ ଉପରେ ଆଲୋଚନା କରିଥିଲେ। ତେବେ ସ୍ୱାସ୍ଥ୍ୟଗତ କାରଣରୁ ବର୍ତ୍ତମାନର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ବୈଠକରେ ଯୋଗ ଦେଇ ପାରି ନ ଥିଲେ।
ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ମିଳିତ ମଞ୍ଚର ସବୁଠାରୁ ବଡ଼ ଦଳ ବିଜେପି ଚାହୁଁଛି ଯେ ଏହାର ନେତା ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଅଜିତ ପାୱାର ମଧ୍ୟ ଫଡନାଭିସଙ୍କ ନାମ ନେଇ ରାଜି ହୋଇଛନ୍ତି। ଅନ୍ୟପକ୍ଷରେ, ଶିବସେନା ସିନ୍ଦେ ଦଳ କହିଛନ୍ତି ଯେ ଏକନାଥ ସିନ୍ଦେଙ୍କ ନୀତି ଯୋଗୁ ମହାୟୁତିକୁ ଏକ ବଡ଼ ବିଜୟ ମିଳିଛି, ତେଣୁ ସେ ମୁଖ୍ୟମନ୍ତ୍ରୀ ହେବା ଉଚିତ୍।
ଅଧିକ ପଢ଼ନ୍ତୁ: କାର୍ଯ୍ୟକାଳ ଶେଷ ପୂର୍ବରୁ ଭାରତକୁ ଉପହାର ଦେଲେ ବାଇଡେନ
ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ୨୩୨ ଟି ଆସନ ଜିତିଛି। ବିଜେପି ୧୩୨ ଟି ଆସନ, ସିନ୍ଦେ ଦଳ ୫୭ ଟି ଆସନ ଏବଂ ଏନସିପି ୪୧ ଟି ଆସନ ପାଇଛି। ବିରୋଧୀ ଦଳ ମହା ବିକାଶ ଅଘାଡି ଖରାପ ପ୍ରଦର୍ଶନ କରିଛି। ଯେଉଁଥିରେ ଉଦ୍ଧବ ଠାକରେଙ୍କ ଶିବସେନା ୨୦ ଟି ଆସନ, ଶରଦ ପାୱାରଙ୍କ ଏନସିପି ୧୦ ଏବଂ କଂଗ୍ରେସ ୧୬ ଟି ଆସନ ଜିତିଛି। ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୧୬ ରୁ ନାଗପୁରରେ ଆରମ୍ଭ ହେବ। ଏହା ପୂର୍ବରୁ କ୍ୟାବିନେଟ୍ ଗଠନ ଶେଷ ହେବ ବୋଲି ଆଶା କରାଯାଉଛି।
ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ଓଡ଼ିଶା ଗସ୍ତ ଆରମ୍ଭ