ଦିଦିଙ୍କ ହାରିବା ନିଶ୍ଚିତ, ବିଜେପି ପଶ୍ଚିମବଙ୍ଗରେ ୨୦୦ଟି ଆସନ ଜିତିବ: ଅମିତ ଶାହା

କୋଲକାତା: ଦିଦିଙ୍କ ହାରିବା ନିଶ୍ଚିତ, ବିଜେପି ପଶ୍ଚିମବଙ୍ଗରେ ୨୦୦ଟି ଆସନ ଜିତିବ। ଆଜି ନନ୍ଦିଗ୍ରାମରେ ଏକ ରୋଡ ସୋ’ କରି ଏଭଳି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ତାଙ୍କ କହିବା ମୁତାବକ, ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଅଧିକ ଭୋଟ ସହିତ ନନ୍ଦିଗ୍ରାମ ବିଧାନସଭା ଆସନ ଜିତିବାକୁ ଯାଉଛନ୍ତି। ମୁଁ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ବିଜେପି କେତୋଟି ଆସନ ଜିତିବ, ସେବିଷୟରେ କହିଥିଲି। ଦ୍ୱିତୀୟ ପର୍ଯ୍ୟାୟ ପରେ ମଧ୍ୟ ମୁଁ ବିଜେପି କେତୋଟି ଆସନ ଜିତିବ, ସେବିଷୟରେ ଜଣାଇବି। କିନ୍ତୁ ବିଜେପି ନିଶ୍ଚିତ ଭାବରେ ୨୦୦ରୁ ଅଧିକ ଆସନ ଜିତିବ ବୋଲି ମୁଁ ଜାଣିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ ବର୍ଷ ହାରିବା ନିଶ୍ଚିତ। ଶୁଭେନ୍ଦୁ ଅଧିକାରୀ ତାଙ୍କୁ ହରାଇବେ ବୋଲି ଅମିତ ଶାହା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୭ରେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ୨୯୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୫ଟି ଜିଲ୍ଲାର ୩୦ଟି ନିର୍ବାଚନମଣ୍ଡଳୀ ପାଇଁ ମତଦାନ କରିଥିଲେ ମତଦାତା। ତେବେ ମତଦାନର ଗୋଟେ ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ପଶ୍ଚିମବଙ୍ଗରେ ବିଜେପି ୩୦ଟି ଆସନରୁ ୨୬ଟି ଆସନ ଜିତିବା ସହ ଆସାମରେ ୪୭ରୁ ୩୭ଟି ଆସନରେ ବିଜୟ ହାସଲ କରିବ । ପଶ୍ଚିମବଙ୍ଗ ଏବଂ ଆସାମ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଛି। ଆମକୁ ଭୋଟ୍ ଦେଇଥିବାରୁ ମୁଁ ଉଭୟ ରାଜ୍ୟର ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି କହିଥିଲେ ଅମିତ ଶାହା।

ସମ୍ବନ୍ଧିତ ଖବର