ନୂଆଦିଲ୍ଲୀ: ଗତକାଲି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହୋଇଥିଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୯୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୫ଟି ଜିଲ୍ଲାର ୩୦ଟି ନିର୍ବାଚନମଣ୍ଡଳୀ ପାଇଁ ମତଦାନ କରିଥିଲେ ମତଦାତା। ତେବେ ମତଦାନର ଗୋଟେ ଦିନ ପରେ ଆଜି ବିଜେପି ୩୦ଟି ଆସନରୁ ୨୬ଟି ଆସନ ଜିତିବ ବୋଲି କହିଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ବିଜେପି ୩୦ଟି ଆସନରୁ ୨୬ଟି ଆସନ ଜିତିବା ସହ ଆସାମରେ ୪୭ରୁ ୩୭ଟି ଆସନରେ ବିଜୟ ହାସଲ କରିବ । ପଶ୍ଚିମବଙ୍ଗ ଏବଂ ଆସାମ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗତକାଲି ଶେଷ ହୋଇଛି। ଆମକୁ ଭୋଟ୍ ଦେଇଥିବାରୁ ମୁଁ ଉଭୟ ରାଜ୍ୟର ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି କହିଛନ୍ତି ଅମିତ ଶାହା।
/sambad/media/post_attachments/3882f1d2c7ee410b0a723520d898d6bbaa2f73ac52756c15d43526f58f2aeec1.jpg)
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବୁଥ ସ୍ତରର କର୍ମୀ ଏବଂ ଦଳର ନେତାଙ୍କ ସହ ଆଲୋଚନା ପରେ ପଶ୍ଚିମବଙ୍ଗରେ ଆମେ ୩୦ଟି ସିଟ୍ ମଧ୍ୟରୁ ୨୬ଟି ସିଟ୍ ଜିତିବୁ ବୋଲି କହିପାରିବି। ଏହା ସହ ଆସାମର ୪୭ଟି ସିଟ୍ ମଧ୍ୟରୁ ଆମେ ୩୭ରୁ ଅଧିକ ସିଟ୍ ଜିତିବୁ ବୋଲି ସ୍ପଷ୍ଟ ସୂଚନା ପାଇଛୁ।
ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସନ୍ଧ୍ୟା ୬ଟା ସୁଦ୍ଧା ୭୯.୭୯ପ୍ରତିଶତ ମତଦାନ ହୋଇଥିବା ବେଳେ ଆସାମ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୭୧.୧୪ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ପଶ୍ଚିମବଙ୍ଗର ୩୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଏବଂ ଆସାମର ୪୭ଟି ଆସନ ପାଇଁ ମୋଟ ୨୧,୮୨୫ ମତଦାନ କେନ୍ଦ୍ରରେ ମତଦାନ ହୋଇଥିଲା।