ଗୁଜରାଟ ନିର୍ବାଚନ: ବିଜେପିକୁ ୯୯, କଂଗ୍ରେସକୁ ୮୦ଟି ସିଟ୍‌

ହିମାଚଳରେ ବିଜେପିକୁ ୪୪, କଂଗ୍ରେସକୁ ୨୧ଟି ଆସନ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୧୮୨ ଆସନରୁ ୯୯ଟିରେ ବିଜୟୀ ହୋଇଛି। ସେହିଭଳି କଂଗ୍ରେସକୁ ଗୁଜରାଟରେ ୮୦ଟି ସିଟ ମିଳିଥିବା ବେଳେ ଅନ୍ୟ ଦଳକୁ ମାତ୍ର ୩ଟି ସିଟ୍‌ ମିଳିଛି। ସେହିପରି ହିମାଚଳ ପ୍ରଦେଶରେ ବିଜେପିକୁ ୪୪ଟି ସିଟ୍‌ରେ ବିଜୟ ମିଳିଥିବା ବେଳେ କଂଗ୍ରେସ ୨୧ଟି ସିଟରେ ବିଜୟୀ ହୋଇଛି। ସେହିଭଳି ଅନ୍ୟ ଦଳକୁ ୩ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଉଭୟ ରାଜ୍ୟର ମତଦାତା ବିଜେପି ଉପରେ ଭରସା ରଖି ମତଦାନ କରିଛନ୍ତି। ଏହି ୨ଟି ରାଜ୍ୟରେ ବିଜେପି ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ଶାସନ ଜାରି ରଖିବ। ବିଜେପିର ଦୀର୍ଘ ୨୨ ବର୍ଷର ଶାସନରେ ଗୁଜରାଟବାସୀ ସନ୍ତୁଷ୍ଟ ଥିବା ବେଳେ ହିମାଚଳ ପ୍ରଦେଶରେ କଂଗ୍ରେସ ପ୍ରତି ବିମୁଖ ହୋଇଛନ୍ତି ମତଦାତା।

 

ନିର୍ବାଚନରେ ବିଜୟୀ ହେବା ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ଲାଭ କରି ସରକାର ଗଢ଼ିବ। ଶାହା କହିଛନ୍ତି, ବର୍ତମାନ ବିଜେପି ୧୪ଟି ରାଜ୍ୟରେ କ୍ଷମତାରେ ଅଛି। ସେହିପରି ଏନ୍‌ଡିଏ ନେତୃତ୍ୱରେ ୫ଟି ଶାସନ କରୁଛି ବିଜେପି। ସମୁଦାୟ ୧୯ଟି ରାଜ୍ୟରେ ବିଜେପିର ପ୍ରଭାବ ରହିଛି। ତ୍ରିପୁରା, ମେଘାଳୟ, ମିଜୋରାମ ଓ କର୍ଣ୍ଣାଟକରେ ମଧ୍ୟ ପଦ୍ମ ଫୁଲ ଫୁଟିବ ବୋଲି ଶାହା କହିଛନ୍ତି। ୨୦୨୨ରେ ମୋଦିଙ୍କ ‘ନୂତନ ଭାରତ’ ସ୍ୱପ୍ନ ସତ ହେବ। ଆଗାମୀ ୪ ବର୍ଷ ପାଇଁ ବିଜେପିର ବିଜୟ ଜାରି ରହିବ ବୋଲି ଶାହା କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତୀୟ ଜନତା ପାର୍ଟି ୨ଟି ରାଜ୍ୟରେ ବିଜୟ ପତାକା ଉଡ଼ାଇଛି। ଗୁଜରାଟ ଓ ହିମାଚଳରେ ବିଜୟ ଭାରତୀୟ ଜନତା ପାର୍ଟିକୁ ଆହୁରି ଶକ୍ତିଶାଳୀ କରିବ। ବିକାଶ ମାଧ୍ୟମରେ ସାଧାରଣ ଜନତାଙ୍କ ସମସ୍ୟା ଦୂର ହେବ।

ସମ୍ବନ୍ଧିତ ଖବର