ମଧ୍ୟପ୍ରଦେଶ ଉପ-ନିର୍ବାଚନରେ ବିଜେପିର ବିପୁଳ ବିଜୟ, ୯ଟିରେ ବିଜୟ, ୧୦ଟିରେ ଆଗୁଆ, ସୁରକ୍ଷିତ ରହିଲା ଶିବରାଜ ସରକାର

ଭୋପାଳ : ମଧ୍ୟପ୍ରଦେଶରେ ୨୮ଟି ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ବିପୁଳ ସଫଳତା ହାସଲ କରିଛି । ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁସାରେ ବିଜେପି ୯ଟି ଆସନରେ ଜିତିଛି ଓ ଆଉ ୧୦ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ଗୋଟିଏ ଆସନରେ ଜିତିଛି ଓ ୮ଟି ଆସନରେ ଆଗୁଆ ଅଛି ।

ଏହି ବିଜୟ ସହ କଂଗ୍ରେସ ତ୍ୟାଗ କରି ବିଜେପିରେ ମିିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରଭାବ ରାଜ୍ୟ ରାଜନୀତିରେ ବୃଦ୍ଧି ପାଇଛି ।
ଚଳିତ ବର୍ଷ ଆରମ୍ଭରେ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ ୨୫ ଜଣ କଂଗ୍ରେସ ବିଧାୟକ ଦଳ ଛାଡିବା ପରେ ରାଜ୍ୟରେ ଥିବା କମଳନାଥ ସରକାରର ପତନ ହୋଇଥିଲା । ସେହିପରି ଆଉ ୩ ଜଣ ବିଧାୟକଙ୍କ ମୃତ୍ୟୁପରେ ରାଜ୍ୟ ବିଧାନସଭାରେ ମୋଟ ୨୮ଟି ଆସନ ଖାଲି ପଡ଼ିଛି । ୨୦୧୮ ନିର୍ବାଚନରେ ଏହି ୨୮ଟି ଆସନ ମଧ୍ୟରୁ କଂଗ୍ରେସ ୨୭ଟି ଆସନ ଜିତିଥିଲା ।

୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ବିଜେପିର ଏବେ ୧୦୭ ଜଣ ବିଧାୟକ ଅଛନ୍ତି । ଉପ-ନିର୍ବାଚନ ପରେ ସରକାର ବଞ୍ଚାଇବାକୁ ବିଜେପିକୁ ଆଉ ୯ ଜଣ ବିଧାୟକଙ୍କ ସମର୍ଥନ ଦରକାର । ଅନ୍ୟପକ୍ଷରେ କଂଗ୍ରେସର ଏବେ ୮୮ ଜଣ ବିଧାୟକ ଥିବାବେଳେ ସରକାର ଗଢିବାକୁ ସମସ୍ତ ୨୮ଟି ଆସନରେ ଜିତିବାକୁ ହେବ ।

 

ସମ୍ବନ୍ଧିତ ଖବର