ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ନେପାଳ ଏବଂ ଶ୍ରୀଲଙ୍କା ପରି ପଡୋଶୀ ଦେଶରେ ନିଜର ଦଳ ବିସ୍ତାର କରିବାକୁ ଯୋଜନା କରିଛି। ତ୍ରିପୁରାର ଅଗରତାଲାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବାବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ଏକ ବୈଠକ ବାବଦରେ ଉଲ୍ଲେଖ କରିଛନ୍ତି |
ବିପ୍ଳବ ଦେବ କହିଛନ୍ତି ଯେ, 'ଯେତେବେଳେ ଗୃହମନ୍ତ୍ରୀ ବିଜେପି ଅଧ୍ୟକ୍ଷ ଥିଲେ, ଆଲୋଚନା ସମୟରେ ମୁଁ କହିଥିଲି ଯେ ବିଜେପି ବର୍ତ୍ତମାନ ଅନେକ ରାଜ୍ୟରେ କ୍ଷମତାକୁ ଆସିଛି। ଏହାର ଉତ୍ତରରେ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ (ଅମିତ ଶାହା) କହିଥିଲେ ଯେ ନେପାଳ ଏବଂ ଶ୍ରୀଲଙ୍କା ବାକି ଅଛି। ସେ କହିଥିଲେ ଯେ ଆମକୁ ଶ୍ରୀଲଙ୍କା ଏବଂ ନେପାଳ ପର୍ଯ୍ୟନ୍ତ ଦଳ ବିସ୍ତାର କରିବାକୁ ପଡିବ। ଆମକୁ ମଧ୍ୟ ସେଠାରେ ଜିତିବାକୁ ପଡିବ' |
ଏଥି ସହିତ ଆସନ୍ତା ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟକୁ ନେଇ ବିପ୍ଲବ କହିଛନ୍ତି ଯେ ଦକ୍ଷିଣ ଏସିଆକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହା ଏକ ଉତ୍ତମ ପଦକ୍ଷେପ। ଭାରତର ନୀତି ଏବଂ କାର୍ଯ୍ୟ ବାଂଲାଦେଶ, ଭୁଟାନ ଏବଂ ନେପାଳକୁ ଆତ୍ମନିର୍ଭରଶୀଳ କରିବାରେ ସକ୍ଷମ। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ସବ କା ସାଥ, ସବ କା ବିକାଶ (ସମସ୍ତଙ୍କ ସହ, ସମସ୍ତଙ୍କ ପାଇଁ ବିକାଶ) ଚାହୁଁଛନ୍ତି।