ମୁମ୍ବାଇ : ମୁମ୍ବାଇର ଗୁରୁତ୍ବପୂର୍ଣ୍ଣ ଅନ୍ଧେରି ପୂର୍ବ ଉପନିର୍ବାଚନରେ ଲଢ଼େଇ ହେବନି। ଉପନିର୍ବାଚନରୁ ବିଜେପି ଏହାର ପ୍ରାର୍ଥୀ ପ୍ରତ୍ୟାହାର କରିଛି। ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରଶେଖର ବୱନକୁଲେ ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର ସଂକ୍ରାନ୍ତରେ ଘୋଷଣା କରିଛନ୍ତି। ବିଜେପିର ମୁରଜି ପଟେଲ ଆଜି ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ସେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀର ପ୍ରାର୍ଥୀ ରୁତୁଜା ଲଟକେଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥି‌ଲେ। ରୁତୁଜା ଲଟ୍‌କେଙ୍କ ସ୍ବାମୀଙ୍କ ଚଳିତ ବର୍ଷ ମୃତ୍ୟୁ ହୋଇଛି। ବିଜେପି ପ୍ରାର୍ଥୀ ପ୍ରତ୍ୟାହାର କରିବାପରେ ରୁତୁଜା ଅନ୍ଧେରି ପୂର୍ବ ନିର୍ବାଚନମଣ୍ଡଳୀରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ।

Advertisment

ମିଳିଥିବା ସୂଚନାନୁଯାୟୀ ବିଜେପି ୨ଟି ଅନୁରୋଧ କ୍ରମେ ଏଭଳି ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ନବନିର୍ମାଣ ସେନା ନେତା ରାଜ୍‌ ଠାକରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ପାଖକୁ ଏନେଇ ଏକ ଚିଠି ଲେଖି ଅନୁରୋଧ କରିବାପରେ ବିଜେପି ଅନ୍ଧେରି ପୂର୍ବ ଆସନରୁ ପ୍ରାର୍ଥୀ ପ୍ରତ୍ୟାହାର କରିଛି। ଏମଏନଏସ ମୁଖ୍ୟ ଲେଖିଥିଲେ ଯେ ସ୍ବର୍ଗତ ରମେଶ ଲଟକେଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ନିର୍ବାଚନ ଲଢ଼ିବାକୁ ଦିଆଯାଉ। ରମେଶ ଲଟକେ ଜଣେ କର୍ମୀରୁ କିଭଳି ବିଧାୟକ ହୋଇଥି‌ଲେ ତାହା ମୁଁ ଦେଖିଛି। ର‌ମେଶଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ବିଧାୟକ କରାଗଲେ ତାଙ୍କ ଅମର ଆତ୍ମାର ସଦ୍‌ଗତି ହେବ। ଏହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଏନ୍‌ସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଏନେଇ ବିଜେପିକୁ ଅନୁରୋଧ କରିଥିଲେ। ବିଚାରବିମର୍ଶ ପରେ ବିଜେପି ଏହି ନିଷ୍ପତ୍ତି ନେଇଛି। କିନ୍ତୁ ବିଜେପିର ଏହି ନିଷ୍ପତ୍ତି ଦ୍ବାରା ଠାକ୍‌ରେ ଗୋଷ୍ଠୀର ଲାଭ ହେବ। ବିଜେପି ପ୍ରାର୍ଥୀ ପ୍ରତ୍ୟାହାର ଘୋ‌ଷଣା କରିବାର କିଛି ଘଣ୍ଟା ପରେ ଏମଏନଏସ ମୁଖ୍ୟ ରାଜ ଠାକ୍‌ରେ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଧନ୍ୟବାଦ ଜଣାଇଛନ୍ତି।