କୋଲକାତା: ପଶ୍ଚିମବଙ୍ଗରେ ଥମିବାର ନାମ ନେଉନାହିଁ ରାଜନୈତିକ ହିଂସା | ବିଧାନସଭା ନିର୍ବାଚନ ପରେ ବିଜେପି ଓ ଟିଏମସି ମଧ୍ୟରେ ଲଗାତାର ହିଂସା ବଢ଼ିଥିବାବେଳେ ଆଜି ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ବିଜେପି କର୍ମୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ପୂର୍ଣ୍ଣଚନ୍ଦ୍ର ନାଗ ହୋଇଥିବାବେଳେ ସେ ଜଣେ ବିଜେପି କର୍ମୀ ବୋଲି ଜଣାପଡିଛି | ମିଳିଥିବା ସୂଚନା ମୁତାବକ ବୀରଭୂମର ମଲାଲାପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ବାରୋଟୁରୀ ଅଞ୍ଚଳରେ ରହୁଥିବା ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହ ଆଜି ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

Advertisment

ଗ୍ରାମବାସୀ କହିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଗଛରେ ଟାଙ୍ଗି ଦିଆଯାଇଛି। ଅନ୍ୟପଟେ ବିଜେପି ଏହି ହତ୍ୟାକାଣ୍ଡ ପାଇଁ ଟିଏମସି(ତୃଣମୂଳ କଂଗ୍ରେସ) ଦାୟୀ ବୋଲି ଅଭିଯୋଗ ଆଣିଛି । ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ପୁଲିସ କର୍ମଚାରୀ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି। ନାଗଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ପୂର୍ଣ୍ଣଚନ୍ଦ୍ର ନାଗ ଜଣେ ଦିନମଜୁରିଆ ଥିଲେ |

ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିକୁ ସମର୍ଥନ କରିବା ଆରମ୍ଭ କରିଥିଲେ। ବିଜେପି ପାଇଁ ସେ ସକ୍ରିୟ ଭାବେ କାମ କରୁଥିଲେ | ସୋମବାର ସନ୍ଧ୍ୟାରେ ପୁର୍ଣ୍ଣଚନ୍ଦ୍ର କିଛି କାମ ପାଇଁ ଘରୁ ବାହାରି ଆସିଥିଲେ, କିନ୍ତୁ ସେ ଫେରି ନଥିଲେ ଏବଂ ମଙ୍ଗଳବାର ସକାଳେ ତାଙ୍କ ମୃତଦେହ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି ।