ବି‌ଜେପି ମହିଳା ସାଂସଦଙ୍କ ଆନ୍ଦୋଳନ: ସୋନିଆ କ୍ଷମା ମାଗନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ କହି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ଆଜି ରାଜନୈତିକ ମହଲରେ ଏକ ଝଡ଼ ସୃଷ୍ଟି କରିଛନ୍ତି। ବିଜେପିର ମହିଳା ସାଂସଦମାନେ ଅଧୀରଙ୍କ ଟିପ୍ପଣୀ ବିରୋଧରେ ସଂସଦ ଭବନ ପରିସର‌ରେ ଆନ୍ଦୋଳନ କରିଛନ୍ତି। ସଂସଦ ଭବନ ପରିସରର ଗେଟ୍‌ ନମ୍ବର ୧ ପାଖରେ ଆଜି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ଏବଂ ଅନ୍ୟ ମହିଳା ସାଂସଦମାନେ ଅଧୀରଙ୍କଠରୁ କ୍ଷମା ଦାବି କରି ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଚୌଧୁରୀଙ୍କ ଟିପ୍ପଣୀ ସମଗ୍ର ଆଦିବାସୀ ସମ୍ପ୍ରଦାୟ, ମହିଳା ଏବଂ ଗରିବଙ୍କୁ ଅସମ୍ମାନ କରିଥିବା ସ୍ମୃତି ଇରାନୀ କହିଛନ୍ତି। ବିଜେପି ସାଂସଦମାନେ ରାଜ୍ୟସଭାରେ ମଧ୍ୟ ଏହି ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କଂଗ୍ରେସ ନେତା ଜାଣିଶୁଣି ରାଷ୍ଟ୍ରପତିଙ୍କ ବିରୋଧରେ ଏଭଳି ଅପମାନଜନକ ଟିପ୍ପଣୀ ଦେଇଛନ୍ତି। ଦଳର ସଭାପତି ସୋନିଆ ଗାନ୍ଧି ଏଥିପାଇଁ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ସୀତାରମଣ ଦାବି କରିଛନ୍ତି।

ଇତି ମଧ୍ୟରେ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଅଧୀର ରଂଜନ ଚୌଧୁରୀଙ୍କ ଅପମାନଜନକ ଟିପ୍ପଣୀ ପାଇଁ ଦଳର ସଭାପତି ସୋନିଆ ଗାନ୍ଧି ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ରାଷ୍ଟ୍ରପତିଙ୍କ ବିରୋଧରେ ଅଧୀର ଦେଇଥିବା ଟିପ୍ପଣୀ ପାଇଁ ସମଗ୍ର ଦେଶ ଦୁଃଖିତ।

ସମ୍ବନ୍ଧିତ ଖବର