ସର୍ବସାଧାରଣରେ କର୍ମୀ ପାଦ ଧୋଇବା ସହ ପାଦଧୁଆ ପାଣି ପିଇଲେ, ଘଟଣାକୁ ସମର୍ଥନ କଲେ ବିଜେପି ସାଂସଦ !

ରାଞ୍ଚି: ଗୁରୁଜନଙ୍କ ପାଦ ଛୁଇଁବା, ସେମାନଙ୍କ ଆଗରେ ନତମସ୍ତକ ହୋଇ ଆର୍ଶୀବାଦ ଗ୍ରହଣ କରିବା ପରମ୍ପରା ଆମ ସମାଜରେ କାହିଁ କେଉଁ କାଳରୁ ଚାଲି ଆସିଛି । ଏପରିକି ବେଳେ ବେଳେ କିଛି ଦଳିତ ଲୋକ ସବର୍ଣ୍ଣଙ୍କ ପାଦ ଧୋଇବାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି । ହେଲେ କୌଣସି କର୍ମୀ ଜଣେ କ୍ଷମତାସୀନ ରାଜନେତାଙ୍କ ପାଦ ଧୋଇବା ଓ ପାଦ ଧୁଆ ପାଣି ପିଇବା କଥା ଆପଣ କେବେ ଶୁଣିଛନ୍ତି କିମ୍ବା ଦେଖିଛନ୍ତି କି ? ଯଦି ଦେଖି ନାହାନ୍ତି ତେବେ ଦେଖନ୍ତୁ।


ଫଟୋରେ ଦେଖାଯାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଝାଡଖଣ୍ଡର ଗୋଡା ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ଡା. ନୀଶିକାନ୍ତ ଦୁବେ । ଗୋଡାରେ କାଜିଆ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଶନିବାର ଦିନ ଯୋଗଦେଇଥିଲେ ନୀଶିକାନ୍ତ । କର୍ମୀ ଓ ସମର୍ଥକଙ୍କ ପ୍ରବଳ ଭିଡ ଭିତରେ ହଠାତ୍ ଜଣେ କର୍ମୀ ସାଂସଦଙ୍କ ଗୋଡ ଧୋଇବା ସହ ପାଦ ଧୂଆ ପାଣି ମଧ୍ୟ ସେବନ କରିଥିଲେ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି , ନୀଶିକାନ୍ତ କର୍ମୀଙ୍କୁ ଏଥିରୁ ବାରଣ କରିବା ତ ଦୁରର କଥା ବରଂ ତା’ର ଫଟୋ ଚିତ୍ର ସୋସିଆଲ୍ ମିଡିଆରେ ଅପଲୋଡ କରିଛନ୍ତି । ବିଭିନ୍ନ ଆଡୁ ସମାଲୋଚନା ଆସିବା ପରେ ନିଜ ସପକ୍ଷରେ ଓଲଟା ଯୁକ୍ତି ବାଢିଛନ୍ତି ସାଂସଦ । ସେ କହିଛନ୍ତି, ସ୍ଥାନୀୟ ଅଂଚଳବାସୀଙ୍କ ସେତୁ ଦୀର୍ଘଦିନର ସ୍ୱପ୍ନ ଥିଲା । ଲୋକଙ୍କ ସ୍ୱପ୍ନ ପୂରଣ ହୋଇଥିବାରୁ କର୍ମୀ ଜଣକ ଭାବବିହ୍ୱଳ ହୋଇ ତାଙ୍କ ପାଦ ଧୋଇଥିଲେ । ମହାଭାରତରେ ଭଗବାନ କୃଷ୍ଣ କ’ଣ ପାଦ ଧୋଇଦେଇ ନ ଥିଲେ କି ପ୍ରଶ୍ନ କରିଛନ୍ତି?

ସମ୍ବନ୍ଧିତ ଖବର