ଆମକୁ ମମତାଙ୍କ ଛତ୍ରଛାୟା ତଳକୁ ନିଅ, ଟିଏମସି କାର୍ଯ୍ୟାଳୟ ବାହାରେ ଧାରଣାରେ ବସି ଦାବି କଲେ ବିଜେପି କର୍ମୀ

କୋଲକାତା: ବିଜେପିକୁ ଆସି ଭୁଲ କରିଛୁ, ଆମକୁ ପୁଣି ମମତାଙ୍କ ଛତ୍ରଛାୟା ତଳକୁ ନିଆଯାଉ | କିଛି ଏଭଳି ଅନୁରୋଧ କରି ଆଜି ତୃଣମୂଳ କଂଗ୍ରେସ ଅଫିସ ସାମ୍ନାରେ ଧାରଣାରେ ବସିଥିଲେ ୫୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ | ପଶ୍ଚିମବଙ୍ଗରୁ ଏମିତି ଏକ ରୋଚକ ରାଜନୈତିକ ଚିତ୍ର ଦେଖିବାକୁ ମିଳିଛି | ଟିଏମସି କାର୍ଯ୍ୟାଳୟ ବାହାରେ ଆଜି ବିଜେପି କର୍ମୀମାନେ ଧାରଣାରେ ବସିଥିଲେ। ଏହି ଅଜବ ଦୃଶ୍ୟ ସୋମବାର ପଶ୍ଚିମବଙ୍ଗର ବୀରଭୂମରେ ଦେଖିବାକୁ ମିଳିଥିଲା ​​ଯେଉଁଠାରେ ପ୍ରାୟ ୫୦ ଜଣ ବିଜେପି କର୍ମୀ ଟିଏମସି କାର୍ଯ୍ୟାଳୟ ବାହାରେ ବସିଥିଲେ। ସମସ୍ତେ ନିଜ ହାତରେ ପ୍ଲା କାର୍ଡ ଧରିଥିବାବେଳେ ଏଥିରେ ଲେଖାଥିଲା ଯେ ଆମେ ମମତା ବାନାର୍ଜୀଙ୍କ ଛତ୍ରଛାୟା ତଳକୁ ଫେରିବାକୁ ଚାହୁଁଛୁ |

ଆଉ କିଛି ଲେଖିଥିଲେ ଯେ ବିଜେପିରେ ଯୋଗଦେବା ଆମର ଭୁଲ ଥିଲା । ବିଜେପି କର୍ମୀମାନେ ବୀରଭୂମ ଜିଲ୍ଲାର ଇଲାମ ବଜାରରେ ଟିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ | ଶେଷରେ ସ୍ଥାନୀୟ ଟିଏମସି ନେତାମାନେ ଏହି ସମସ୍ତ ବିଜେପି କର୍ମୀଙ୍କୁ ଟିଏମସିରେ ସାମିଲ କରିଥିଲେ। ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ମୁକୁଲ ରାୟ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିଲେ ।

ଟିଏମସିରେ ଯୋଗଦେବା ପରେ ସେ କହିଥିଲେ ଯେ ପଶ୍ଚିମବଙ୍ଗରେ ଯାହା ସ୍ଥିତି ଅଛି କେହି ବି ବିଜେପିରେ ରହିବେ ନାହିଁ। ସେ ମମତା ବାନାର୍ଜୀଙ୍କୁ ଦେଶର ସବୁଠାରୁ ବଡ ନେତ୍ରୀ ବୋଲି ବର୍ଣ୍ଣନା କରିଥିଲେ । ସୂଚନା ଥାଉ କି ଯେ ନିକଟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଟିଏମସି ସମେତ ଅନ୍ୟାନ୍ୟ ଦଳର ନେତାମାନେ ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ପଶ୍ଚିମବଙ୍ଗରେ ବିଜେପିର ପରାଜୟ ପରେ ଏବେ ଅନେକ ନେତା ଧୀରେ ଧୀରେ ଦଳଠାରୁ ଦୁରେଇ ଯାଉଥିବାର ଦେଖାଯାଉଛି।

ସମ୍ବନ୍ଧିତ ଖବର