ମମତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରିୟଙ୍କା ଟିବ୍ରେୱାଲଙ୍କ ଉପରେ ପୁଲିସର ‘ଶାରୀରିକ ନିର୍ଯାତନା’ ଅଭିଯୋଗ

ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା ବିଜେପି, ପୁଲିସ ଅଧିକାରୀଙ୍କ ନିଲମ୍ବନ ଦାବି

କୋଲକାତା: ଭବାନୀପୁର ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରିୟଙ୍କା ଟିବ୍ରେୱାଲଙ୍କୁ  ଦକ୍ଷିଣ କୋଲକାତା ଡିସିପି ଆକ୍ରମଣ କରିଥିବା ଓ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବା ନେଇ ବଙ୍ଗଳା ବିଜେପି ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଅଭିଯୋଗ କରାଯାଇଛି।

ବିଜେପି ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି: “ଆମର ପ୍ରାର୍ଥୀ ଶ୍ରୀମତୀ ପ୍ରିୟଙ୍କା ଟିବ୍ରେୱାଲ ଏବଂ ରାଜ୍ୟ ସଭାପତି ଡକ୍ଟର ସୁକାନ୍ତ ମଜୁମଦାର, ସାଂସଦ ଜ୍ୟୋତିର୍ମୟ ସିଂ ମହାତୋ ଏବଂ ଅର୍ଜୁନ ସିଂଙ୍କ ଉପରେ ଶାରୀରିକ ନିର୍ଯାତନା ହୋଇଛି। ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଏହା ଧ୍ୟାନକୁ ଆଣିବା ଏବଂ ଏଥିରେ ହସ୍ତକ୍ଷେପ କରିବା ଜରୁରୀ। ଏକ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଏବଂ ନିର୍ବାଚନ ସମୟରେ ଶାନ୍ତି ରକ୍ଷା କରିବା ଦିଗରେ ଏହା ଖୋଲା ଉଲ୍ଲଂଘନ ହୋଇଛି ।

ଚିଠି ଅନୁଯାୟୀ, ସେପ୍ଟେମ୍ବର ୨୩ ତାରିଖରେ ବିଜେପିର ଭବାନୀପୁର ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କ ସହ ସୁକାନ୍ତ ମୁଜୁମଦାର, ସାଂସଦ ଜ୍ୟୋତିର୍ମୟ ସିଂ ମହାତୋ ଓ ସାଂସଦ ତଥା ଅର୍ଜୁନ ସିଂ ପ୍ରମୁଖ ଗତ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ କର୍ମୀଙ୍କ ଦ୍ୱାରା ହିଂସାପୀଡ଼ିତ ମାନସ ଶାହାଙ୍କ ଘରକୁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା।

ଡିସିପି (ଦକ୍ଷିଣ କୋଲକାତା) ଆକାଶ ମାଘାରିଆଙ୍କ ନେତୃତ୍ୱାଧୀନ କୋଲକାତା ପୁଲିସ ଫୋର୍ସ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଭାଙ୍ଗିବା ପାଇଁ ତାଙ୍କ ଉପରେ ନଜର ରଖିଥିଲା। ଶାରୀରିକ ଭାବରେ ଡକ୍ଟର ସୁକାନ୍ତ ମଜୁମଦାରଙ୍କୁ  ଠେଲାପେଲା କରିବା ସହ ସମସ୍ତଙ୍କୁ ଘଉଡାଇବା ଲାଗି ଉଦ୍ୟମ ଆରମ୍ଭ କରିଥିଲା। ଉକ୍ତ ଅଧିକାରୀ ପ୍ରିୟଙ୍କା ଟିବ୍ରେୱାଲ ଏବଂ ସେଠାରେ ଉପସ୍ଥିତ ଥିବା କିଛି ମହିଳାଙ୍କୁ ଅସଦାଚରଣ କରିଥିଲେ।

ଚିଠିରେ ଆହୁରି କୁହାଯାଇଛି ଯେ କ୍ଷମତାରେ ଥିବା ଦଳର ଆଦେଶରେ କାର୍ଯ୍ୟ କରୁଥିବା ଜଣେ ସରକାରୀ କର୍ମଚାରୀଙ୍କ ଦ୍ୱାରା ଏହି ପ୍ରକାର ବେଆଇନ ଆଚରଣ ଶୋଭନୀୟ ନୁହେଁ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଡିସିପି ଆକାଶ ମାଘାରିଆ ଏବଂ ଅନ୍ୟ କୋଲକାତା ପୁଲିସ ଅଧିକାରୀଙ୍କୁ ଚିହ୍ନଟ କରାଯାଇ ତୁରନ୍ତ ନିର୍ବାଚନ ଡ୍ୟୁଟିରୁ ହଟାଇ ଦିଆଯାଉ। ଏଥିସହ ଉକ୍ତ ଅଧିକାରୀମାନଙ୍କୁ ଚାକିରିରୁ ନିଲମ୍ବନ କରିବାକୁ ଦାବି କରିଛି ବିଜେପି।

ସମ୍ବନ୍ଧିତ ଖବର