ନୂଆଦିଲ୍ଲୀ: ପଂଜାବରେ ଆଜି ସମସ୍ତ ୧୧୭ ବିଧାନସଭା ଆସନରେ ଭୋଟ୍ଗ୍ରହଣ ସୁରୁଖୁରୁରେ ସଂପନ୍ନ ହୋଇଛି ଏବଂ ୬୮%ରୁ ଅଧିକ ମତଦାନ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଆଜି ୟୁପିରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୫୯ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି ଏବଂ ୬୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ପଂଜାବରେ ମୋଟ୍ ୧୩୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇଯାଇଛି। ରାଜ୍ୟରେ ଏଥର ବହୁମୁଖୀ ଲଢ଼େଇ ଦେଖିବାକୁ ମିଳିଛି। କଂଗ୍ରେସ, ଆମ୍ ଆଦ୍ମି ପାର୍ଟ (ଆପ୍) ଶିରୋମଣି ଅକାଳୀ ଦଳ-ବିଏସ୍ପି ମେଣ୍ଟ ଏବଂ ବିଜେପି-ଲୋକ କଂଗ୍ରେସ ପାର୍ଟି ମେଣ୍ଟ ମଧ୍ୟରେ ଏଥର ତୀବ୍ର ମୁକାବିଲା ଦେଖିବାକୁ ମିଳିଛି। ପଂଜାବର ସରଦୁଲଗଡ଼ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୮୩% ମତଦାନ ହୋଇଥିବା ବେଳେ ଏହା ପରେ ମାଲେରକୋଟଲାରେ ୭୨.୮୪ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।
ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ସହ ୬୨୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି। ତୃତୀୟ ପର୍ଯ୍ୟାୟରେ ହାଥରସ, ଫିରୋଜାବାଦ, ଏଟା, କାସଗଂଜ, ମୈନପୁରି, ଫରୁଖାବାଦ, କନୌଜ, ଇଟାୱା, କାନପୁର ଗ୍ରାମୀଣ, କାନପୁର ସହର, ଝାନ୍ସି ଏବଂ ହମିରପୁର ଜିଲ୍ଲାରେ ଭୋଟ୍ ଗ୍ରହଣ ସଂପନ୍ନ ହୋଇଛି। ହାଥରସ ଜିଲ୍ଲାରେ ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ସଂପାଦକ କ୍ରିଷ୍ଣା ଯାଦବଙ୍କୁ ଆଜି ଅଜ୍ଞାତ ଆତତାୟୀମାନେ ଗୁଳି କରି ହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ପୁଲିସ ଏକ ପିସ୍ତଲ ଜବତ କରିଛି। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।