ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି ଯୁବ ମୋର୍ଚ୍ଚା କର୍ମୀ ପ୍ରବୀଣ ନେତ୍ତାରୁଙ୍କୁ ମଙ୍ଗଳବାର ରାତିରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ପ୍ରବୀଣ ଗତ ରାତିରେ ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ମୋଟରସାଇକେଲ୍ରେ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଖଣ୍ଡା ଓ ଛୁରିରେ ଆକ୍ରମଣ କରିଥିଲେ। ପ୍ରଥମେ ସେମାନେ ଖଣ୍ଡାରେ ଆକ୍ରମଣ କରିବାରୁ ପ୍ରବୀଣ ତଳେ ପଡ଼ିଯାଇଥିଲେ। ଏହାପରେ ଆକ୍ରମଣକାରୀମାନେ ଛୁରିରେ ତାଙ୍କୁ ଅତି ନିର୍ମମ ଆକ୍ରମଣ କରିଥିଲେ । ପ୍ରବୀଣଙ୍କ ବେକ ଓ ଶରୀରର ବିଭିନ୍ନ ସ୍ଥାନରେ କଟାଦାଗ ରହିଛି। ସ୍ଥାନୀୟ ଲୋକେ ପ୍ରବୀଣଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ପୁଲିସରେ ଖବର ଦେଇଥିଲେ। ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ସେଠାରେ ପ୍ରବୀଣଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାକାରୀମାନଙ୍କୁ ଧରିବାପାଇଁ ୬ ପୁଲିସ ଟିମ୍ ଗଠନ ହୋଇଛି। ଉକ୍ତ ମାମଲାରେ ପଚରାଉଚରା ପାଇଁ ୧୫ ଜଣଙ୍କୁ ହାଜତକୁ ନିଆଯାଇଛି। ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଘଟିଥିବା ଏହି ହତ୍ୟାକାଣ୍ଡ ପଛରେ ଚରମପନ୍ଥୀ ଇସ୍ଲାମିକ ସଂଗଠନର ହାତ ରହିଥିବା ବିଶ୍ବ ହିନ୍ଦୁ ପରିଷଦ ଦାବି କରିଛି।
ରାଜ୍ୟବ୍ୟାପୀ ଆନ୍ଦୋଳନ
ଇସ୍ଲାମିକ ଚରମପନ୍ଥୀ ସଂଗଠନ ସଂପୃକ୍ତ: ଭିଏଚ୍ପି
କହ୍ନେୟାଲାଲଙ୍କୁ ସମର୍ଥନ କରି ପୋଷ୍ଟ୍ କରିଥିଲେ ପ୍ରବୀଣ
ଦଳୀୟ ନେତୃତ୍ବ ବିରୋଧରେ କର୍ମୀଙ୍କ ଅସନ୍ତୋଷ ତେଜିଲା
ବିଜେପିରୁ କର୍ମୀଙ୍କ ଗଣ ଇସ୍ତଫା, ରାଜ୍ୟ ବିଜେପି ସଭାପତିଙ୍କୁ ଅଧଘଣ୍ଟା ଅଟକାଇଲେ
ଏହି ହତ୍ୟା ଘଟଣାକୁ ବିରୋଧ କରି ଆଜି କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଜୋରଦାର ଆନ୍ଦୋଳନ ଓ ହିଂସା ଦେଖିବାକୁ ମିଳିଛି। ବିଜେପି କର୍ମୀମାନେ ଦଳୀୟ ନେତୃବୃନ୍ଦଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କର୍ଣ୍ଣାଟକର ବିଭିନ୍ନ ଅଚଂଳରେ ବିଜେପି ଯୁବ ଶାଖା ସଦସ୍ୟମାନେ ଆଜି ବିଜେପିରୁ ଗଣ ଇସ୍ତଫା ଦେବା ଆରମ୍ଭ କରିଛନ୍ତି। ବିଜେପି ସରକାର ଦଳୀୟ କର୍ମୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବୋଲି ସେମାନେ ଦାବି କରିଛନ୍ତି। ପ୍ରବୀଣ ନେତ୍ତାରୁଙ୍କ ଅନ୍ତିମ ଶୋଭାଯାତ୍ରାରେ ଆଜି ବିଶାଳ ଜନସମାଗମ ହୋଇଥିଲା। ରାଜ୍ୟ ବିଜେପି ସଭାପତି ଏବଂ ଅନ୍ୟ କିଛି ନେତା ପ୍ରବୀଣଙ୍କ ଅନ୍ତିମ ଶୋଭଯାତ୍ରାକୁ ଯିବା ବାଟରେ ସେମାନଙ୍କୁ ପ୍ରବଳ ବିରୋଧ କରାଯାଇଥିଲା। ବିଶୃଙ୍ଖଳ ଜନତା ରାଜ୍ୟ ବିଜେପି ସଭାପତି ନଳିନ କୁମାର କତିଲଙ୍କ ଗାଡ଼ି ଅଟକାଇ ବିରୋଧ ପ୍ରଦର୍ଶନ କରିଥିଲେ। ସାଂସଦ ଏବଂ ରାଜ୍ୟ ସରକାରଙ୍କ ୨ ଜଣ ମନ୍ତ୍ରୀ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବୁଝିନଥିଲେ। ଆନ୍ଦୋଳନକାରୀମାନେ ପ୍ରବଳ ପଥର ମାଡ଼ କରିଥିବା ଜଣାପଡ଼ିଛି। ବିଶୃ୍ଙ୍ଖଳ ଜନତାଙ୍କୁ ଘଉଡ଼ାଇବାପାଇଁ ପୁଲିସ ଲାଠିମାଡ଼ କରିବାରୁ ଏଥିରେ ଜଣେ ଆହତ ହୋଇଛନ୍ତି।
ପଡ଼ୋଶୀ କେରଳ, ମଦିକେରୀ ଏବଂ ହାସନକୁ ଆଜି ୩ଟି ଟିମ୍ ପଠାଯାଇଛି। ହତ୍ୟାଘଟଣା ପାଇଁ ବେଲ୍ଲାରେ ଏବଂ ସୁଲ୍ଲିଆରେ ଅସନ୍ତୋଷ ତେଜିଛି। ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍ପି) ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଛି। ହତ୍ୟା ପଛରେ ପିଏଫଆଇ (ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ) ଏବଂ ସୋସିଆଲ ଡିମୋକ୍ରାଟିକ ପାର୍ଟି ଅଫ୍ ଇଣ୍ଡିଆର ହାତ ରହିଥିବା ବିଭିନ୍ନ ଦକ୍ଷିଣପନ୍ଥୀ ସଂଗଠନ ଦାବି କରିଛନ୍ତି। ଏହି ହତ୍ୟା ପଛରେ ଇସ୍ଲାମିକ ଚରମପନ୍ଥୀମାନେ ସଂପୃକ୍ତ ଅଛନ୍ତି ଏବଂ ଉଚ୍ଚସ୍ତରୀୟ ଯାଞ୍ଚ ହେଲେ ହିଁ ସବୁକିଛି ସାମ୍ନାକୁ ଆସିବ ବୋଲି ବିଶ୍ବ ହିନ୍ଦୁ ପରିଷଦ କହିଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଉକ୍ତ ହତ୍ୟାକାଣ୍ଡକୁ କଡ଼ା ନିନ୍ଦା କରିଛନ୍ତି ଏବଂ ଉକ୍ତ ଘଟଣାରେ ତଦନ୍ତ ତ୍ବରାନ୍ବିତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟାର ଶିକାର ହୋଇଥିବା ବିଜେପି ଯୁବ ନେତା ପ୍ରବୀଣ ନେତ୍ତାରୁ ନିକଟରେ ଉଦୟପୁରର କହ୍ନେୟାଲାଲଙ୍କୁ ସମର୍ଥନ କରି ପୋଷ୍ଟ୍ କରିଥିଲେ। ଜୁନ୍ ୨୯ ତାରିଖରେ ନେତ୍ତାରୁ ଏକ ଫେସବୁକ ପୋଷ୍ଟ୍ରେ ଉଦୟପୁର ଦରଜୀ କହ୍ନେୟାଲାଲଙ୍କ ହତ୍ୟା ସଂକ୍ରାନ୍ତରେ ଲେଖିଥିଲେ ଏବଂ ଏହି ଘୃଣାହତ୍ୟାରେ ସଂପୃକ୍ତ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।