ନୂଆଦିଲ୍ଲୀ: ବିଜେପି ବୁଧବାର ଏକ ବଡ଼ ଅଭିଯୋଗ କରି କହିଛି ଯେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଭାରତୀୟ ନାଗରିକ ହେବାର ୩ ବର୍ଷ ପୂର୍ବରୁ ଭୋଟର ତାଲିକାରେ ତାଙ୍କ ନାଁ ଥିଲା। ୨୦୨୪ ଲୋକସଭା ନିର୍ବାଚନରେ ଭୋଟ୍ ଚୋରି ଅଭିଯୋଗ କରିଥିବା କଂଗ୍ରେସ ଉପରେ ପ୍ରତ୍ୟାକ୍ରମଣ ସ୍ବରୂପ ବିଜେପି ଏହି ଅଭିଯୋଗ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଅନୁରାଗ ଠାକୁର କହିଛନ୍ତି, ଇଟାଲିରେ ଜନ୍ମ ହୋଇଥିବା ସୋନିଆ ଗାନ୍ଧୀ ଭାରତୀୟ ନାଗରିକ ହେବା ପୂର୍ବରୁ ୧୯୮୦ରେ ଭୋଟର ତାଲିକାରେ ଯୋଡ଼ି ହୋଇଥିଲେ।
ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟଙ୍କ ଦାବି ଦୋହରାଇ ସେ କହିଛନ୍ତି ଯେ ୧୯୮୦ ମସିହାର ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀର ସଫଦରଜଙ୍ଗ ରୋଡ୍ରେ ଥିବା ଭୋଟିଂ ବୁଥ୍ ୧୪୫ରେ ଏକ ନିର୍ବାଚନୀ ରୋଲ୍ରେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସଞ୍ଜୟ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ମେନକା ଗାନ୍ଧୀଙ୍କ ନାଁ ଥିଲା। ବିହାରରେ ଏସ୍ଆଇଆରକୁ ବିରୋଧ କରୁଥିବା କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରି ଅନୁରାଗ ଠାକୁର କହିଛନ୍ତି, କଂଗ୍ରେସ ଦଳ ସେମାନଙ୍କ ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିବାପାଇଁ କେବଳ ତୁଷ୍ଟୀକରଣ ରାଜନୀତି ଓ ବିଭ୍ରାନ୍ତିରେ ମାତିଛି।