ନ୍ୟୁଜ ପୋର୍ଟାଲ ଦି ଓ୍ବେୟାର ବିରୋଧରେ ଫୌଜଦାରୀ ମାମଲା ରୁଜ୍ଜୁ କଲେ ଅମିଲ ମାଲବ୍ୟ

ନୂଆଦିଲ୍ଲୀ : ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଓ୍ବେବ ପୋର୍ଟାଲ ଦି ଓ୍ବେୟାର ବିରୋଧରେ ଫୌଜଦାରୀ ମାମଲା ରୁଜ୍ଜୁ କରିଛନ୍ତି । ଏହି ପୋର୍ଟାଲ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଠକାମି ଆଦି ଅଭିଯୋଗ ଲଗାଯାଇଛି । ଏହି ମାମଲା ରୁଜ୍ଜୁ ହେବା ପରେ ଦିଲ୍ଲୀ ପୁଲିସ ଉକ୍ତ ପୋର୍ଟାଲ ବିରୋଧରେ ଏକ ଏଫଆଇଆର ରୁଜ୍ଜୁ କରିଛି । ଏଥିରେ ଦି ଓ୍ବେୟାରର ସଂପାଦକ ଓ ପ୍ରତିଷ୍ଠାତାଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଗତ ଗୁରୁବାରଦିନ ଏକ ସୋସିଆଲ ମିଡିଆ ପୋଷ୍ଟ କରି ମାଲବ୍ୟ କହିଥିଲେ ଯେ, ସେ ଦି ଓ୍ବେୟାର ବିରୋଧରେ ଫୌଜଦାରି ଓ ଦେଓ୍ବାନୀ ମାମଲା ରୁଜ୍ଜୁ କରିବେ ।

କିଛି ଦିନ ପୂର୍ବେ ଦି ଓ୍ବେୟାରରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ ମେଟା (ପୂର୍ବର ଫେସବୁକ) ପକ୍ଷରୁ ମାଲବ୍ୟଙ୍କୁ କେତେକ ସ୍ବତନ୍ତ୍ର କ୍ଷମତା ଦିଆଯାଇଛି, ଯଦ୍ବାରା ସେ ସରକାରୀ ବିରୋଧୀ ପୋଷ୍ଟକୁ ହଟାଇପାରୁଛନ୍ତି ।

କିନ୍ତୁ ମେଟା ପକ୍ଷରୁ ଏହି ଖବରରେ ସତ୍ୟନା ନାହିଁ ବୋଲି କୁହାଯାଇଥିଲା । ଏହା ପରେ ଓ୍ବେୟାର ପକ୍ଷରୁ କେତେକ ଇ-ମେଲର ସ୍କ୍ରିନସଟ୍ ଜାରି କରି ନିଜ ଖବରକୁ ଠିକ ବୋଲି ପ୍ରମାଣିକ କରିବାକୁ ଚେଷ୍ଟା କରାଯାଇଥିଲା । ତେବେ ଏସବୁକୁ ମେଟା ଖଣ୍ଡନ କରିଥିଲା ।

ଏହି ଖବର ବିଭ୍ରାନ୍ତିପୂର୍ଣ୍ଣ ଓ ସଂପୂର୍ଣ୍ଣ ମିଛ ବୋଲି ମେଟା ପକ୍ଷରୁ ଆଉ ଏକ ବୟାନ ଜାରି କରି କୁହାଯିବା ପରେ ଦି ଓ୍ବେୟାର ଉକ୍ତ ଖବରକୁ ହଟାଇ ଦେଇଥିଲା । ଏହା ସହିତ ଏହି ଖବର ଉପରେ ଏକ ତଦନ୍ତ କରାଯିବ ବୋଲି ଓ୍ବେୟାର କହିଥିଲା ।

 

 

ସମ୍ବନ୍ଧିତ ଖବର