ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ବିରୋଧରେ ବିଜ୍ଞାପନ ପ୍ରକାଶ କରି ବିଜେପି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏପରି ବିଜ୍ଞାପନ ପ୍ରକାଶ ଉପରେ ରୋକ ଲଗାଇବା ପାଇଁ ‌କଲିକତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦଳ ସୁପ୍ରିମ୍‌କୋର୍ଟରେ କରିଥିବା ଆବେଦନକୁ ସୋମବାର କୋର୍ଟ ବିଚାର କରିବାକୁ ମନା କରିଦେଇଛନ୍ତି।

Advertisment

ଜଷ୍ଟିସ ଜେକେ ମାହେଶ୍ୱରୀ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ଅବକାଶକାଳୀନ ଖଣ୍ଡପୀଠ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି, ବିଜେପି ଓ ଟିଏମ୍‌ସି ମଧ୍ୟରେ ଥିବା ଏହି ତିକ୍ତତାକୁ ଆମେ ଆଗକୁ ବଢ଼ାଇବାକୁ ଦେଇପାରିବୁ ନାହିଁ। ଏଭଳି ବିଜ୍ଞାପନ ଭୋଟରଙ୍କ ସ୍ୱାର୍ଥରେ ନୁହେଁ ଏବଂ ଏହା କେବଳ ବିତର୍କକୁ ଖରାପ କରିବ। ସମସ୍ୟାକୁ ଅଧିକ ବଢ଼ାଇବା ଉଚିତ ନୁହେଁ। ମନେରଖନ୍ତୁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ଶତ୍ରୁ ନୁହନ୍ତି। ଖଣ୍ଡପୀଠ ବିଚାର କରିବାକୁ ଅନିଚ୍ଛା ପ୍ରକାଶ କରିବା ପରେ ବିଜେପି ପକ୍ଷରୁ ବରିଷ୍ଠ ଆଇନଜୀବୀ ପିଏସ୍ ପାଟୱାଲିଆ ମାମଲା ପ୍ରତ୍ୟାହାର କରିବାକୁ ଅନୁମତି ମାଗିଥିଲେ ଏବଂ କୋର୍ଟ ଅନୁମତି ଦେଇଥିଲେ। ଗତ ୨୨ ତାରିଖରେ ହାଇକୋର୍ଟର ଏକ ଖଣ୍ଡପୀଠ କହିଥିଲେ ଯେ ଏକକ ବିଚାରପତିଙ୍କ ଖଣ୍ଡପୀଠ ଦେଇଥିବା ଅନ୍ତରୀଣ ଆଦେଶ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିବାକୁ ଇଚ୍ଛୁକ ନୁହନ୍ତି।

ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ଦିନ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ଆଚରଣବିଧି ଉଲ୍ଲଂଘନ କରୁଥିବା ବିଜ୍ଞାପନ ପ୍ରକାଶ କରିବାକୁ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଗତ ୨୦ ତାରିଖରେ ଏକକ ଖଣ୍ଡପୀଠ ବାରଣ କରିଥିଲେ। ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ତା’ର କର୍ମୀଙ୍କ ବିରୋଧରେ ଅସତ୍ୟ ଦାବି କରୁଥିବା ବିଜ୍ଞାପନ ପ୍ରକାଶ କରିବା ଉପରେ ମଧ୍ୟ ଅଦାଲତ ରୋକ ଲଗାଇଥିଲେ।