ଭିନ୍ନକ୍ଷମଙ୍କ କାର୍ଯ୍ୟକ୍ରମରେ ଜଣେ ଲୋକର ଗୋଡ଼ ଭାଙ୍ଗିବାକୁ ଧମକ ଦେଲେ ବିଜେପି ନେତା ବାବୁଲ୍‌ ସୁପ୍ରିୟୋ

ଆସାନସୋଲ୍‌: ଜଣେ ବ୍ୟକ୍ତିଙ୍କ ଗୋଡ଼ ଭାଙ୍ଗିପକାଇବେ ବୋଲି ଧମକ ଦେଇ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ନେତା ବାବୁଲ୍‌ ସୁପ୍ରିୟୋ ବିବାଦ ମଧ୍ୟକୁ ଟାଣି ହୋଇ ଆସିଛନ୍ତି। ପଶ୍ଚିମବଙ୍ଗର ଆସାନସୋଲ ଠାରେ ଭିନ୍ନକ୍ଷମଙ୍କର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଲା ବେଳେ ବାଧା ଉପୁଜାଇ ଥିବା ସେ ଲୋକଟିକୁ ଗାୟକରୁ  ରାଜନେତା ପାଲଟି ଥିବା ସୁପ୍ରିୟୋ ଧମକ ଦେଇଥିଲେ।

ବାବୁଲ୍‌ ସୁପ୍ରିୟୋ ଦେଇଥିବା ଧମକ କ୍ୟାମେରାରେ ଉତ୍ତୋଳିତ ହୋଇ ସାମାଜିକ ଗଣମାଧ୍ୟମ ଟୁଇଟର୍‌ରେ ସେୟାର ହୋଇଥିଲା।

ଘନଶ୍ୟାମ ରାମ ନାମକ ଜଣେ ବ୍ୟକ୍ତିଙ୍କୁ ସେ ସମ୍ମାନିତ କରୁଥିବା ବେଳେ ଶ୍ରୋତାମାନଙ୍କ ମଧ୍ୟରୁ କେହି ଜଣେ କୋଳାହଳ କରି ତାଙ୍କ ଭାଷଣରେ ବାଧା ସୃଷ୍ଟି କରିଥିଲେ। ବିଜେପି ନେତା ସୁପ୍ରିୟୋ ଚିଡ଼ି ଯାଇ ସେ ଲୋକଟିକୁ କହିଲେ, ତାଙ୍କର କିଛି ଅସୁବିଧା ହେଉଛି କି? ସେ କହିଲେ: କ’ଣ ହେଲା ଭାଇ? ଆପଣଙ୍କର କିଛି ଅସୁବିଧା ହେଉଛି? ମୁଁ ଆପଣଙ୍କର ଗୋଡ଼ଟିଏ ଭାଙ୍ଗି ଆଶାବାଡ଼ି ଧରାଇ ଦେଇ ପାରିବି।

ତା’ ପରେ ସୁପ୍ରିୟୋ ସେ ବ୍ୟକ୍ତିଙ୍କୁ ଗୋଟିଏ ପଟକୁ ଉଠି ଯାଇ ସେଠାରେ ବସିବାକୁ କହିଲେ। ପୁଣି ଶ୍ରୋତାମଣ୍ଡଳୀଙ୍କୁ ସମ୍ବୋଧନ କରି କହିଲେ, ଯଦି ସେ ସେଠାରୁ ନ ଯାଉଛି, ତାଙ୍କର ଗୋଡ଼ଟିଏ ଭାଙ୍ଗିଦିଅ, ମୁଁ ତାଙ୍କୁ ବାଡ଼ି ଖଣ୍ଡେ ଦେବି।

ତା’ପରେ ଲୋକଟି ପାଇଁ ତାଳି ମାରିବାକୁ ସେ ଶ୍ରୋତାମଣ୍ଡଳୀର ସଦସ୍ୟମାନଙ୍କୁ କହିଥିଲେ।

ଆଗରୁ ଏ ବର୍ଷ କିଛି ପୁଲିସ କର୍ମଚାରୀଙ୍କ ସହ ସଂର୍ଘଷ କରିଥିବା କାରଣରୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ସର୍ବସାଧାରଣ ଶୃଙ୍ଖଳା ଭାଙ୍ଗୁଛନ୍ତି ବୋଲି ତାଙ୍କ ବିରୋଧରେ ଚାର୍ଜ କରାଯାଇଥିଲା।

ସମ୍ବନ୍ଧିତ ଖବର