ମୁସଲମାନଙ୍କ ନିକଟତର ହେବାକୁ ବିଜେପିର ଅଭିଯାନ

ନୂଆଦିଲ୍ଲୀ: ସମସ୍ତ ପ୍ରକାର ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମରେ ସବୁ ବର୍ଗର ପ୍ରତିନିଧିତ୍ବକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଅନୁଯାୟୀ ବିଜେପି ସଂଖ୍ୟାଲଘୁ, ବିଶେଷତଃ ମୁସଲମାନଙ୍କ ନିକଟତର ହେବାକୁ ଅଭିଯାନ ଆରମ୍ଭ କରିଛି। ଏହା ମୁସଲମାନ ସମାଜକୁ ଏକ ବିଜେପି-ବିରୋଧୀ ସମ୍ପ୍ରଦାୟ ଭାବେ ଉଭା ହେବାକୁ ରୋକିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି। ସମସ୍ତ ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମରେ ମୁସଲମାନମାନଙ୍କୁ ସାମିଲ କରିବା ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ପକ୍ଷରୁ ଏହାର କ୍ୟାଡରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଧର୍ମ ଦୃଷ୍ଟିରୁ କୌଣସି ପ୍ରକାର ପାତରଅନ୍ତର ବା ଭେଦଭାବ ଯେପରି କରା ନ ଯାଏ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଏହାଦ୍ବାରା ଅନ୍ୟ ଧର୍ମ ପ୍ରତି ବିଜେପିର ଅସହିଷ୍ଣୁ ଭାବ ଅଛି ବୋଲି ଯେଉଁ ଅଭିଯୋଗ କରାଯାଉଛି ତାହା ଦୂର ହେବ ବୋଲି ବିଜେପି ଆଶା ପ୍ରକାଶ କରିଛି।

ବର୍ତ୍ତମାନ ବିଜେପି ଚାହୁଛି, ମୁସଲମାନମାନେ ତାଙ୍କୁ ଭୋଟ ନ ଦିଅନ୍ତୁ ପଛେ କିନ୍ତୁ ବିଜେପି-ବିରୋଧୀ ଭୋଟବ୍ୟାଙ୍କ ଭାବେ ବ୍ୟବହୃତ ନ ହୁଅନ୍ତୁ। ସେମାନେ ନିଜ ପସନ୍ଦ ଅନୁସାରେ ଯେଉଁ ଦଳକୁ ଇଚ୍ଛା ଭୋଟ ଦିଅନ୍ତୁ। କିନ୍ତୁ ବିଜେପି ପ୍ରତି ଘୃଣାଭାବ ପୋଷଣ ନ କରନ୍ତୁ। ବିଜେପି ସଂଖ୍ୟାଲଘୁ-ବିରୋଧୀ ବୋଲି ଯେଉଁ ଧାରଣା ରହିଆସିଛି ସେଥିରେ ପରିବର୍ତ୍ତନ ଆଣିବା ପାଇଁ ଦଳ ଉଦ୍ୟମ କରୁଛି। ଗତବର୍ଷ ହାଇଦ୍ରାବାଦରେ ଅନୁଷ୍ଠିତ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ, ବିଜେପି ନେତାମାନେ ନିଜ ନିଜ ଅଞ୍ଚଳରେ ଥିବା ଗରିବ ଓ ବଞ୍ଚିତ ମୁସଲମାନଙ୍କ ଘରକୁ ଯାଆନ୍ତୁ, ସେମାନଙ୍କ ଭଲମନ୍ଦ ବୁଝନ୍ତୁ ଏବଂ ଆବଶ୍ୟକ ସାହାଯ୍ୟ କରନ୍ତୁ। ଏ ବର୍ଷ ପ୍ରଧାନମନ୍ତ୍ରୀ ସେହି କଥାକୁ ଦୋହରାଇବା ସହ କହିଛନ୍ତି ଯେ ବିଜେପି ନେତାମାନେ ମନରେ ନିର୍ବାଚନୀ ରାଜନୀତି ବା କୌଣସି ପ୍ରକାର ସ୍ବାର୍ଥ ଭାବନା ନ ରଖି ଏହା କରନ୍ତୁ। ପ୍ରଧାନମନ୍ତ୍ରୀ ବୋହରା ମୁସଲମାନଙ୍କ ଉଦାହରଣ ଦେଇ କହିଛନ୍ତି ଯେ ସେମାନେ ବିଜେପି-ବିରୋଧୀ ନୁହନ୍ତି, ଯଦିଚ ସେମାନଙ୍କୁ ଦଳର ଭୋଟର ହିସାବରେ ଗଣାଯାଏ ନାହିଁ।

ଆସନ୍ତା ଫେବ୍ରୁଆରି ୧୦ରୁ ବିଜେପିର ‘ସଂଖ୍ୟାଲଘୁ ମୋର୍ଚ୍ଚା’ ସଂଖ୍ୟାଲଘୁଙ୍କ ନିକଟତର ହେବାକୁ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ମୋର୍ଚ୍ଚା ଦେଶର ୬୦ ଲୋକସଭା ନିର୍ବାଚନ ମଣ୍ଡଳୀରେ ୫୦୦୦ ଲୋକଙ୍କୁ ଚିହ୍ନଟ କରିବାକୁ ନିଷ୍ପତ୍ତି ନେଇଛି। ସେମାନଙ୍କ ସହ ଦଳର ଲୋକମାନେ ଯୋଗାଯୋଗ ରଖିବେ। ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଅଧ୍ୟକ୍ଷ ଜମଲ ସିଦ୍ଦିକି କହିଛନ୍ତି ଯେ ସେମାନେ ଅନ୍ତତଃ ୩୦ ପ୍ରତିଶତ ମୁସଲମାନ ଥିବା ୬୦ଟି ନିର୍ବାଚନମଣ୍ଡଳୀ ଚୟନ କରିଛନ୍ତି। ସେସବୁ ଅଞ୍ଚଳରେ ମୁସଲମାନ ପରିବାରଗୁଡ଼ିକ ସହ ଯୋଗଯୋଗ ରଖାଯିବ। ସାରା ଦେଶରେ ମୁସଲମାନମାନେ କିପରି ଆବାସ ଯୋଜନା, ହର ଘର ନଳଠାରୁ ଆରମ୍ଭ କରି ସ୍କଲାରସିପ ଓ ଆୟୁଷ୍ମାନ୍ ଭାରତ ପର୍ଯ୍ୟନ୍ତ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଉପକୃତ ହେଉଛନ୍ତି, ତାହା ସେମାନଙ୍କୁ ତଥ୍ୟ ଓ ସଂଖ୍ୟା ସହ ବୁଝାଯିବ। ତେବେ ଭୋଟ୍ ପାଇଁ ସେମାନେ ଏପରି ଅଭିଯାନ ଆରମ୍ଭ କରିବାକୁ ଯାଉ ନାହାନ୍ତି ବୋଲି ସିଦ୍ଦିକି କହିଛନ୍ତି।

ସମ୍ବନ୍ଧିତ ଖବର