ବିଜେପିର ଭରସା ୟୁପି, ବିହାର: ବିଶେଷଜ୍ଞଙ୍କ ଆକଳନ

ନୂଆଦିଲ୍ଲୀ: ରାଜନୈତିକ ବିଶ୍ଳେଷକ ଯୋଗେନ୍ଦ୍ର ଯାଦବ ଏବଂ ପ୍ରଶାନ୍ତ କିଶୋରଙ୍କ ଆକଳନରୁ ଜଣାପଡ଼ିଛି ଯେ ବିରୋଧୀ ଦଳମାନଙ୍କ ଇଣ୍ଡି ମେଣ୍ଟ ଚଳିତ ନିର୍ବାଚନରେ ଏନ୍‌ଡିଏକୁ ପଛରେ ପକାଇବା ସହଜ ନୁହେଁ। ଏନ୍‌ଡିଏର ଦୁଇଟି ଗଡ଼ ଉତ୍ତରପ୍ରଦେଶ ଓ ବିହାରରେ ଯଦି କିଛି ବଡ଼ ଧରଣର ରାଜନୈତିକ ଅସ୍ଥିରତା ଦେଖାଦିଏ ତେବେ ହିଁ ଇଣ୍ଡି ମେଣ୍ଟ ପାଇଁ ଭଲ ସୁଯୋଗ ଆସିପାରେ, ଅନ୍ୟଥା ଏନ୍‌ଡିଏ ପାଇଁ ସରକାର ଗଠନ ନିମନ୍ତେ ବିଶେଷ ସଙ୍କଟ ଆସିବ ନାହିଁ ବୋଲି ପ୍ରଶାନ୍ତ ଏବଂ ଯୋଗେନ୍ଦ୍ରଙ୍କ ଆକଳନ ବିରୋଧୀଙ୍କ ଚିନ୍ତା ବଢ଼ାଇଛି।

ଚଳିତ ନିର୍ବାଚନରେ ଦକ୍ଷିଣ ଓ ପୂର୍ବ ଭାରତରେ ବିଜେପିକୁ ପୂର୍ବାପେକ୍ଷା ଅଧିକ ଆସନ ମିଳିବ ବୋଲି ଯୋଗେନ୍ଦ୍ର ଯାଦବ ଆକଳନ କରିଛନ୍ତି। ଉଭୟ ଭୋଟ୍‌ ହାର ଓ ଆସନ ହାସଲ କ୍ଷେତ୍ରରେ କେରଳରୁ ଓଡ଼ିଶା ପର୍ଯ୍ୟନ୍ତ ବିଜେପିକୁ ଫାଇଦା ମିଳିବ ବୋଲି ଆକଳନ କରାଯାଇଛି। କେରଳ ଓ ତାମିଲନାଡୁରେ ଏଥର ବିଜେପି ଓ ଏହାର ସହଯୋଗୀଙ୍କୁ ଭଲ ଫଳ ମିଳିବାକୁ ଥିବା ବେଳେ ଆନ୍ଧ୍ର ପ୍ରଦେଶରେ ବିଜେପିକୁ ୩, ସହଯୋଗୀ ଦଳକୁ ମିଳିବ ୧୨ଟି ଆସନ ମିଳିବ ବୋଲି ଯାଦବ ଆକଳନ କରିଛନ୍ତି। ଯାଦବଙ୍କ ପୂର୍ବାନୁମାନ ଅନୁଯାୟୀ, ଦକ୍ଷିଣ ଭାରତରେ (କର୍ଣ୍ଣାଟକକୁ ବାଦ୍ ଦେଲେ) ବିଜେପିକୁ ୧୩ ଆସନ ଏବଂ ଏହାର ସହଯୋଗୀଙ୍କୁ ୧୪ ଆସନ ମିଳିବ। ହିଂସା ଓ ଦୁର୍ନୀତିରେ ଛଟପଟ ହେଉଥିବା ପଶ୍ଚିମବଙ୍ଗରେ ବିଜେପି ଓ ଶାସକ ତୃଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିବା ବେଳେ ବିଜେପି ସେଠାରେ ୨୦୧୯ ତୁଳନାରେ କୌଣସି ଲାଭ କିମ୍ବା ବଡ଼ କ୍ଷତି ଦେଖିବ ନାହିଁ। ପୂର୍ବ ଲୋକସଭା ନିର୍ବାଚନରେ ବିଜେପି ବିଶେଷ କରି ଆସାମରେ ଭଲ ପ୍ରଦର୍ଶନ କରିଥିବା ବେଳେ ଏଥର ଉତ୍ତର-ପୂର୍ବାଞ୍ଚଳରେ ଦଳର ଆସନ ବୃଦ୍ଧି ପାଇବ ନାହିଁ ଏବଂ ବର୍ତ୍ତମାନ ଯେଉଁଠି ଅଛି ସେଠାରେ ରହିବ ବୋଲି ଯାଦବ ପୂର୍ବାନୁମାନ କରିଛନ୍ତି। ତେବେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଏସବୁ ଅଂଚଳରେ ବିଜେପି ତା’ର ପୂର୍ବ ପରିଣାମ ଦୋହରାଇ ଭଲ ସ୍ଥିତିରେ ରହିବ ଏବଂ ବିଜେପି ଏକାକୀ ୩ ଶହ ଆସନ ଅତିକ୍ରମ କରିଯିବ।

ଯୋଗେନ୍ଦ୍ର ଯାଦବ ଭବିଷ୍ୟବାଣୀ କରିଛନ୍ତି ଯେ ଯେଉଁ ସବୁ ରାଜ୍ୟରେ ବିଜେପିର ଦଖଲ ଭଲ ରହିଛି, ସେଠାରେ ଦଳର ଭଲ ପ୍ରଦର୍ଶନ ଉପରେ ଏହାର ଆସନ ବଢ଼ିବା ନିର୍ଭର କରୁଛି। ତେବେ ମହାରାଷ୍ଟ୍ରରେ ବିଜେପି ଓ ଏହାର ସହଯୋଗୀ ଦଳ ଯଥାକ୍ରମେ ୫ ଓ ୧୫ଟି ଆସନ ହରାଇବେ ବୋଲି ସେ କହିଛନ୍ତି। ରାଜସ୍ଥାନ ଓ ଗୁଜରାଟରେ ମଧ୍ୟ ବିଜେପି୧୦ଟି ଆସନ ହରାଇବ ବୋଲି ସେ ଆକଳନ କରିଛନ୍ତି। ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଜେପି ୨୦୧୯ ତୁଳନାରେ ୧୦ ଆସନ ହରାଇପାରେ ବୋଲି ଯାଦବ ଆକଳନ କରିଛନ୍ତି। ତେବେ ଏଭଳି ହେଲେ ବି କୌଣସି ବଡ଼ ବିପର୍ଯ୍ୟୟ ବିଜେପି ପାଇଁ ଆସିବ ନାହିଁ। ଲୋକସଭା ନିର୍ବାଚନର ଶେଷ ଦୁଇଟି ପର୍ଯ୍ୟାୟରେ ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ବିହାରରେ ବିଜେପି ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟ ରଖିଛି ଏବଂ ଏହାର ଆସନ ସଂଖ୍ୟା ୨୦୧୯ ତୁଳନାରେ ବଢ଼ିବ ବୋଲି କେତେକ ଆକଳନରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର