ଭୁବନେଶ୍ବର/ନୂଆଦିଲ୍ଲୀ: ବିଜେଡି-ବିଜେପି ମେଣ୍ଟ ହେବ ତ? ଯଦି ହେବ, ‌ତେବେ ବିଧିବଦ୍ଧ ଘୋଷଣା କେବେ? କାହା ଭାଗରେ କେତେ ସିଟ୍‌ ପଡ଼ିବ? ନିର୍ଦ୍ଦିଷ୍ଟ କେଉଁ ପ୍ରସଙ୍ଗରେ କେଁ ରହିଛି? ସାରା ରାଜ୍ୟବାସୀ ଏବେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜୁଛନ୍ତି। ଗତକାଲି ଯାଏ ବିଜେପି ନେତା ମେଣ୍ଟ ହେବନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରୁଥିଲେ। ଆଜି କିନ୍ତୁ ଉଭୟ ଦଳର ନେତାଙ୍କ ପାଟିରେ ଯେମିତି ତାଲା ପଡ଼ିଛି। ବିଜେଡିର ଶୀର୍ଷ ନେତାମାନେ ଏହି ପ୍ରସଙ୍ଗରେ କିଛି କହିବାକୁ ନାରାଜ। ବିଜେପିର ରାଜ୍ୟ ନେତାମାନେ ଗତକାଲି ଠାରୁ ଦିଲ୍ଳୀରେ ଡେରା ପକାଇଛନ୍ତି। ତୁହାକୁତୁହା ବୈଠକ ଚାଲିଛି। ହେଲେ ସେଠାରେ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ଦେବାକୁ ସେମାନେ ସିଧାସଳଖ ମନା କରିଦେଇଛନ୍ତି। କେବଳ ମେଣ୍ଟ ଚର୍ଚ୍ଚାରେ ଅଟକିଯାଇଛି ରାଜ୍ୟର ରାଜନୈତିକ ଗତିବିଧି। ପୂରା ଓଡ଼ିଶା ଏବଂ ବିରୋଧୀ ରାଜନୈତିକ ଦଳ ସମସ୍ତେ ଅପେକ୍ଷା କରିଛନ୍ତି ଯେ ନୂଆଦିଲ୍ଲୀରୁ କେତେବେଳେ କ’ଣ ଖବର ଆସିବ।  ଏପଟେ ନିର୍ବାଚନ ପ‌ାଇଁ ଆଉ କିଛି ସପ୍ତାହ ବାକି ଥିଲା ବେଳେ ସବୁ ପ୍ରମୁଖ ରାଜନୈତିକ ଦଳର ନେତାମାନେ ହାତ ବାନ୍ଧି ବସିଯାଇଛନ୍ତି। ଲଢ଼େଇର ସ୍ବରୂପ ନିର୍ଣ୍ଣୟ ହୋଇପାରୁନାହିଁ। ସାଧାରଣ ଜନତା ଅନ୍ଧାରରେ। ବିଜେଡି ଓ ବିଜେପିର ଆଶାୟୀ ପ୍ରାର୍ଥୀ, ଛାମୁଆ ନେତା ଓ କର୍ମୀ ବାକ୍‌ଶୂନ୍ୟ ହୋଇପଡ଼ିଛନ୍ତି।  ଗତକାଲି କେନ୍ଦ୍ରୀୟ ନେତାଙ୍କ ଡାକରା ପାଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟ ନେତାମାନେ ଦିଲ୍ଲୀ ଯାଇଛନ୍ତି। ‌
Advertisment
ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀ ବି ଏଥିରେ ସାମିଲ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି କେନ୍ଦ୍ରୀୟ ନେତାମାନଙ୍କ ସହ ସେମାନଙ୍କର ସରଗରମ ଆଲୋଚନା ହୋଇଛି। ସମ୍ଭାବ୍ୟ ମେଣ୍ଟ ଓ ଆସନ ବୁଝାମଣାକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ଦୂର କରିବାକୁ କେନ୍ଦ୍ରୀୟ ନେତାମାନେ ଉଦ୍ୟମ ଚଳାଇଛନ୍ତି। ପ୍ରତି ସଂସଦୀୟ କ୍ଷେତ୍ର ଓ ବିଧାନସଭା ନିର୍ବାଚନମଣ୍ଡଳୀ ୱାରି ସ୍ଥିତି ସମୀକ୍ଷା କରାଯାଉଛି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ରାଜ୍ୟର ବରିଷ୍ଠ ନେତାମାନେ ଢେର୍ ସମୟ ଯାଏଁ ମନ୍ତ୍ରଣା କରିଥିଲେ। ବିଜେପିର ଶୀର୍ଷ ନେତୃତ୍ବ ମେଣ୍ଟ ସଂକ୍ରାନ୍ତରେ ଯେଉଁ ଆଭିମୁଖ୍ୟ ରଖିଛନ୍ତି, ସେ ସଂପର୍କରେ ସେଠାରେ ଆଲୋଚନା ହୋଇଥିଲା। ହେଲେ ଫଳାଫଳ କଣ ହେଲା, ସେ ସଂକ୍ରାନ୍ତରେ ଗଣମାଧ୍ୟମକୁ କେହି ଜଣାଇବାକୁ ଚାହିଁଲେନି।   ୧୨ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କିମ୍ବା ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଓଡ଼ିଶା ଆସି ମେଣ୍ଟ ସମ୍ପର୍କରେ ଘୋଷଣା କରିବେ ବୋଲି କିଛି ଦିନ ହେଲା ଚର୍ଚ୍ଚା ଚାଲିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏପରି କିଛି କାର୍ଯ୍ୟକ୍ରମ ନେଇ ଠୋସ୍‌ ସୂଚନା ଆସି ନାହିଁ। ତେଣୁ ମେଣ୍ଟକୁ ନେଇ ଚିତ୍ର ଏବେ ବି ଅସ୍ପଷ୍ଟ ରହିଛି।
ଚଳିତ ସପ୍ତାହ ଦିଲ୍ଲୀରେ ଏନ୍‌ଡିଏର ସମସ୍ତ ସହଯୋଗୀଙ୍କୁ ଏକ ନୈଶ୍ୟଭୋଜିରେ ବିଜେପି ଏକାଠି କରିବ ବୋଲି ଚର୍ଚ୍ଚା ଚାଲିଛି। ତେଣୁ ତାହା ପୂର୍ବରୁ ବିଜେଡି ସହ ମେଣ୍ଟ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେହିପରି ବିଜେପି ତାହାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଜାରି ରହିଛି। କିନ୍ତୁ ଓଡ଼ିଶାରେ ମେଣ୍ଟ ଉପରେ ଆଲୋଚନା ଚାଲିଥିବାରୁ ଏହି ବୈଠକରେ ଓଡ଼ିଶାର କୌଣସି ଆସନ ନେଇ ଚର୍ଚ୍ଚା ହେଉ ନଥିବା କୁହାଯାଉଛି।   ଏପଟେ ଓଡ଼ିଶାରେ ବି ମେଣ୍ଟ ତାତି ବିଜେପି ଶିବିରକୁ ଅସ୍ତବ୍ୟସ୍ତ କରିପକାଇଲେଣି। ଆଜି ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବାସଭବନରେ କିଛି ବିଜେପି ବିଧାୟକ ଏକାଠି ହୋଇଥିଲେ। ଏ ସମ୍ପର୍କରେ ଜଣାପଡ଼ିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚିଥିଲେ। କିନ୍ତୁ ଏକାଠି ହେବାର କାରଣ ସମ୍ପର୍କରେ କେହି କିଛି କହି ନଥିଲେ। ଅପରପକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଆଜି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ସରକାରୀ ବାସଭବନରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଭେଟିଛନ୍ତି। ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ରାଜଭବନ ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟରେ ରାଜନୈତିକ ସ୍ଥିତି ଭିନ୍ନ ମୋଡ଼ ନେଉଥିବାରୁ ରାଜ୍ୟପାଳଙ୍କ ଏହି ସାକ୍ଷାତ କାର୍ଯ୍ୟକ୍ରମ ବେଶ୍‌ ଗୁରୁତ୍ବ ବହନ କରୁଛି।