କୃଷି ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ବିଜେପି, ଦେଶବ୍ୟାପୀ ୭୦୦ ସାମ୍ବାଦିକ ସମ୍ମିଳନୀ, ୧୦୦ କୃଷକ ସଭା ଆୟୋଜନ କରାଯିବ

ନୂଆଦିଲ୍ଲୀ : କୃଷକମାନଙ୍କ ସହ ଆଲୋଚନାରୁ କୌଣସି ସମାଧାନ ବାହାରୁ ନଥିବାରୁ ବିଜେପି ଏବେ କୃଷି ଆଇନ ସମ୍ପର୍କରେ ସାରା ଦେଶରେ ଏକ ବଡ଼ ଧରଣର ସଚେତନତା ଅଭିଯାନ ଆରମ୍ଭ କରିବାକୁ ଯାଉଛି ।

ଲୋକଙ୍କୁ ସଚେତନ କରିବାକୁ ବିଜେପି ପକ୍ଷରୁ ସାରା ଦେଶରେ ପ୍ରାୟ ୭୦୦ ସାମ୍ବାଦିକ ସମ୍ମିଳନୀ ଓ ୧୦୦ଟି ବୈଠକ କରାଯିବ । ଏସବୁ ସାମ୍ବାଦିକ ସମ୍ମିଳନୀ ଓ ବୈଠକ ମାଧ୍ୟମରେ ନୂଆ କୃଷି ଆଇନର ସୁବିଧା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବ ।

ବିଜେପିର ଯୋଜନା ଅନୁସାରେ ଦେଶର ୭୧୮ଟି ଜିଲ୍ଲାରେ ବିଜେପି ନେତାମାନେ ସାମ୍ବାଦିକ ସମ୍ମିଳନୀ କରି କୃଷି ଆଇନ ସମ୍ପର୍କରେ କହିବେ । ଏହା ସହିତ ଦେଶର ୧୦୦ଟି ସ୍ଥାନରେ କିଶାନ ସମ୍ମିଳନୀ କରାଯିବ । ଏହି ସମ୍ମିଳନୀଗୁଡ଼ିକରେ ଏହି ଆଇନକୁ ନେଇ କୃଷକଙ୍କ ମନରେ ଥିବା ଶଙ୍କାକୁ ଦୂର କରାଯିବ ।
ଗତ ସେପ୍ଟେମ୍ବର ମାସରେ  ସଂସଦରେ ୩ଟି କୃଷି ବିଲ ପାସ ହୋଇଥିଲା । ଏହି ୩ଟି ବିଲ୍ ହେଉଛି: କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, ୨୦୨୦, କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ ଏବଂ କୃଷି ସେବା ବିଧେୟକ ଓ ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ)।

ସମ୍ବନ୍ଧିତ ଖବର