‘ଜୟ ଶ୍ରୀରାମ’କୁ ବିଜେପି ଦଳୀୟ ସ୍ଲୋଗାନ ଭଳି ବ୍ୟବହାର କରୁଛି: ମମତା

ବିଜେପିର ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ

କୋଲକାତା: ଧାର୍ମିକ ସ୍ଲୋଗାନ୍‌ ‘ଜୟ ଶ୍ରୀରାମ’କୁ ବିଜେପି ଦଳୀୟ ସ୍ଲୋଗାନ୍‌ ଭଳି ବ୍ୟବହାର କରୁଛି ଏବଂ ଏହାଦ୍ବାରା ପଶ୍ଚିମବଂଗରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରିବାକୁ ଲଗାତାର ପ୍ରୟାସ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ବିଜେପିକୁ କଡ଼ା ସମାଲୋଚନା କରି ମମତା କହିଛନ୍ତି ଯେ ପ୍ରତ୍ୟେକ ରାଜନୈତିକ ଦଳର ସ୍ଲୋଗାନ୍‌ ରହିଛି। ମୋର ପାର୍ଟି ଜୟ ହିନ୍ଦ୍‌ ଏବଂ ବନ୍ଦେ ମାତରମ ସ୍ଲୋଗାନ୍‌କୁ ଅନୁସରଣ କରୁଛି। ଆମେ ସମସ୍ତେ ସମସ୍ତଙ୍କୁ ସମ୍ମାନ ଦେଉଛୁ। କିନ୍ତୁ ବିଜେପି ଧାର୍ମିକ ସ୍ଲୋଗାନ୍‌କୁ ବ୍ୟବହାର କରି ଏବେ ଟିଏମ୍‌ସିକୁ ଟାର୍ଗେଟ୍‌ କରୁଛି। ଧର୍ମ ସହିତ ବିଜେପି ରାଜନୀତିକୁ ଯୋଡି ବିଶୃଙ୍ଖଳା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ରାମ ମୋହନ ରାୟଙ୍କଠାରୁ ବିଦ୍ୟାସାଗରଙ୍କ ପର୍ଯ୍ୟନ୍ତ ସମସ୍ତେ ଏକତା ଓ ଶୃଙ୍ଖଳା ଶିକ୍ଷା ଦେଇଥିବା ବେଳେ ବିଜେପି ଏଠାରେ ଧର୍ମ ନାମରେ ଲୋକଙ୍କୁ ବିଭାଜିତ କରୁଛି ବୋଲି ମମତା କହିଛନ୍ତି। ଅନ୍ୟପକ୍ଷରେ ଜୟ ଶ୍ରୀରାମ କହୁଥିବା ଲୋକଙ୍କ ବିରୋଧରେ ଟିଏମ୍‌ସି ସରକାରଙ୍କ ଦମନ ନୀତି ଏବଂ ଲୋକଙ୍କୁ ଆକ୍ରମଣ ପ୍ରତିବାଦରେ ବିଜେପି ମମତାଙ୍କୁ ଘେରିବା ପାଇଁ ବ୍ୟାପକ ଯୋଜନା କରିଛି। ଦେଶର ବିଭିନ୍ନ ସ୍ଥାନରୁ ଜୟ ଶ୍ରୀରାମ ଲେଖାଥିବା ପୋଷ୍ଟ୍‌ କାର୍ଡ ମମତାଙ୍କ ପାଖରେ ପହଞ୍ଚିବା ଆରମ୍ଭ କରିଛି। ବିଜେପି ଜୟ ଶ୍ରୀରାମ ଲେଖାଥିବା ୧୦ ଲକ୍ଷ ପୋଷ୍ଟକାର୍ଡ ମମତାଙ୍କ ପାଖକୁ ପଠାଯିବ ବୋଲି ଘୋଷଣା କରିଛି।

ସମ୍ବନ୍ଧିତ ଖବର