ନିୟମ ଉଲଂଘନ କରିଥିବାରୁ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ନିର୍ବାଚନ ଆୟୋଗର ନୋଟିସ

କୋଲକାତା: ଅଡ଼ୁଆରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ। ଭବାନୀପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଦୁଇ ଦିନ ମଧ୍ୟରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ଆସିଛି ନିର୍ବାଚନ ଆୟୋଗଙ୍କ ନୋଟିସ। ବୁଧବାର ଜାରି ନୋଟିସରେ ରିଟର୍ଣ୍ଣିଂ ଅଫିସର କହିଛନ୍ତି ଯେ, ନାମାଙ୍କନ ଦାଖଲ ଦିନ ପ୍ରିୟଙ୍କା ଟିବ୍ରେୱାଲ ଆଦର୍ଶ ନିର୍ବାଚନ ଆଚରଣ ବିଧି ଏବଂ କୋଭିଡ -୧୯ ନିୟମକୁ ଉଲ୍ଲଂଘନ କରିଛନ୍ତି।

ଏହା ସହ ଲେଖାଯାଇଛି ଯେ, ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି ନିର୍ଦ୍ଦେଶନାମାକୁ ଉଲଂଘନ କରି ନାମାଙ୍କନ ଦାଖଲ ଦିନ ଏକାଧିକ ଗାଡ଼ି ନେବା ସହ ଶୋଭାଯାତ୍ରା କରିଥିଲେ ପ୍ରିୟଙ୍କା । ନିର୍ବାଚନ ଆୟୋଗ ଗାଡ଼ି ସଂଖ୍ୟା ସୀମିତ ରଖିଥିଲେ ବି ଆପଣ ଏହି ନିୟକ ଉଲଂଘନ କରି ଶୋଭାଯାତ୍ରାରେ ଅଧିକ ଗାଡ଼ିକୁ କାହିଁକି ସାମିଲ କରିଥିଲେ ଏନେଇ ପ୍ରିୟଙ୍କାଙ୍କୁ ପ୍ରଶ୍ନ କରିଛନ୍ତି ନିର୍ବାଚନ ଆୟୋଗ। ତେବେ ଏହି ନୋଟିସ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପଠାଇ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ‌ଏହାର ଉତ୍ତର ଦେବାକୁ କହିଥିଲେ ରିଟର୍ଣ୍ଣିଂ ଅଧିକାରୀ।

File photo of Priyanka Tibrewal
www.indiatoday.in

ଏହାର ଉତ୍ତରରେ ପ୍ରିୟଙ୍କା ଟିବ୍ରେୱାଲ କହିଛନ୍ତି ଯେ, ସେ କୌଣସି ନିୟମ ଉଲ୍ଲଂଘନ କରିନାହାଁନ୍ତି ଏବଂ ରାସ୍ତାରେ ଯାନବାହନ ହଟାଇବା କୋଲକାତା ପୁଲିସର ଦାୟିତ୍ବ ଥିଲା। ସେ ଗଣମାଧ୍ୟମକୁ କହିଛନ୍ତି, “ମୁଁ ନିର୍ବାଚନ ଆୟୋଗ ନୋଟିସର ଉତ୍ତର ଦେଇଛି। ସେମାନେ କହିଛନ୍ତି ଯେ, ନାମାଙ୍କନ ଦାଖଲ ପାଇଁ ଯିବା ବେଳେ ଅନେକ କାର ମୋତେ ଅନୁସରଣ କରିଥିଲା, କିନ୍ତୁ ଜନସାଧାରଣ ଯଦି ମୋତେ ଅନୁସରଣ କରିବେ ମୁଁ ସେମାନଙ୍କୁ ବନ୍ଦ କରିପାରିବି ନାହିଁ। ମୁଁ କେବଳ ସ୍ଥାନୀୟ ଲୋକଙ୍କ ସହ ଏକ କୀର୍ତ୍ତନରେ ଭାଗ ନେଇଥିଲି। ମୁଁ ମମତା ବାନାର୍ଜୀଙ୍କ ନାମାଙ୍କନକୁ ଚ୍ୟାଲେଞ୍ଜ କରିଥିବାରୁ ସେମାନେ (ଟିଏମସି) ଭୟଭୀତ ଅଛନ୍ତି। ନିର୍ବାଚନ ଆୟୋଗରେ ମୋ ବିରୋଧରେ ଏପରି ଅଭିଯୋଗ କରି ମୋତେ ପ୍ରଚାରରୁ ନିବୃତ୍ତ କରିବାକୁ ଏହା ଏକ ପ୍ରୟାସ | ମୋ ସହିତ ଦୁଇଟି କାର ଥିଲା। ସେଥିମଧ୍ୟରୁ ମୋର ସୁରକ୍ଷା ପାଇଁ କେବଳ ଗୋଟିଏ କାର ଥିଲା | “

ସମ୍ବନ୍ଧିତ ଖବର