ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଆଜି ଦିଲ୍ଲୀରେ ପହଞ୍ଚିଥିବା ବେଳେ ବିଜେପି ଏହି ଯାତ୍ରା ନେଇ ରାହୁଲଙ୍କୁ ଘେରିଛି। ଦେଶକୁ ଘୃଣା କରୁଥିବା ଏବଂ ଦେଶ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଲୋକଙ୍କ ସହିତ ଚାଲି ରାହୁଲ ଗାନ୍ଧି କିଭଳି ପ୍ରେମର ବାର୍ତ୍ତା ଦେଇପାରିବେ ବୋଲି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରଶ୍ନ କରିଛନ୍ତି। ଗୋଟିଏ ପଟେ ଦେଶକୁ ଘୃଣା କରୁଥିବା ଲୋକଙ୍କ ପ୍ରତି ଦରଦ ଏବଂ ଅନ୍ୟ ପଟେ ନିଜ ଦଳକୁ ଯୋଡ଼ିବାରେ ଅସମର୍ଥ ଥିବା ରାହୁଲ ଏହି ଯାତ୍ରାରେ ନିଜକୁ ଭାରତ ସହ କେତେ ପରିମାଣରେ ଯୋଡ଼ିଛନ୍ତି ତାହା ଜଣାଇବାକୁ ପଡ଼ିବ ବୋଲି ରବିଶଙ୍କର କହିଛନ୍ତି।

Advertisment

‘ଦେଶ ବିରୋଧରେ ଅପମାନଜନକ ବୟାନ ଦେଉଥିବା ବ୍ୟକ୍ତି ଏବଂ ‘ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ୍‌’ର ସଦସ୍ୟଙ୍କ ସହିତ ଆପଣ କିଭଳି ଭାରତ ଦର୍ଶନ କଲେ ଏବଂ ପ୍ରେମର କିଭଳି ବାର୍ତ୍ତା ନେଇ ଆସିଛନ୍ତି ତାହା ଲୋକଙ୍କୁ ଜଣାନ୍ତୁ’ ବୋଲି ରବିଶଙ୍କର କହିଛନ୍ତି। ସର୍ବଦା ତିକ୍ତ ବୟାନ ଦେବା ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହିବା ଆପଣଙ୍କ ଅଭ୍ୟାସ ପାଲଟିଯାଇଛି। ଭାରତୀୟ ସେନାକୁ ଅପମାନିତ କରି ଏହି ଯାତ୍ରାରେ କିଭଳି ବାର୍ତ୍ତା ଦେବାକୁ ଆପଣ ପ୍ରୟାସ କରିଛନ୍ତି ବୋଲି ରବିଶଙ୍କର ରାହୁଲଙ୍କୁ ପଚାରିଛନ୍ତି।