୨୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପରାଜୟର ସମ୍ମୁଖୀନ ହେବାପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରଘୁବର ଦାସ

ରାଞ୍ଚି: ଝାଡ଼ଖଣ୍ଡ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଆଜି ସନ୍ଧ୍ୟାରେ ଝାଡ଼ଖଣ୍ଡର ବିଜେପି ମୁଖ୍ୟମନ୍ତ୍ରୀ ରଘୁବର ଦାସ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ନିଜର ୨୪ ବର୍ଷର ରାଜନୈତିକ ଜୀବନକାଳ ମଧ୍ୟରେ ବିଜେପିର ଏହି ବରିଷ୍ଠ ନେତା ପ୍ରଥମ ଥର ପାଇଁ ନିର୍ବାଚନୀ ରାଜନୀତିରେ ପରାଜୟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଉଲ୍ଲେଖଯୋଗ୍ୟ, ବିଜେପିର ରଘୁବର ଦାସ ଆଦିବାସୀ ବହୁଳ ରାଜ୍ୟ ଝାଡ଼ଖଣ୍ଡର ସର୍ବପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ। ଏବଂ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କି ପୂରା ପାଞ୍ଚବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏଥିସହ ଶ୍ରୀ ଦାସ ମଧ୍ୟ ପୂର୍ବରୁ ଦୁଇ ଦୁଇ ଥର ରାଜ୍ୟ ବିଜେପିର ସଭାପତି ମଧ୍ୟ ରହିଥିଲେ। ତାଙ୍କ ନେତୃତ୍ୱରେ ଦଳ ୨୦୦୯ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ମଧ୍ୟ ଲଢ଼ିଥିଲା।

ତେବେ, ଏଥର ବିଧାନସଭା ନିର୍ବାଚନରେ ଜାମସେଦପୁର (ପୂର୍ବ) ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ ବିଜେପିର ବିଦ୍ରୋହୀ ନେତା ତଥା ତାଙ୍କର ପୂର୍ବତନ କ୍ୟାବିନେଟ ସହଯୋଗୀ ସରଯୁ ରାୟ। ଏବଂ ସବିଶେଷ ରିପୋର୍ଟ ଅନୁଯାୟୀ ସେ ପ୍ରାୟ ୭୦ ହଜାରରୁ ଅଧିକ ଭୋଟରେ ରଘୁବର ଦାସଙ୍କୁ ପରାସ୍ତ କରିଛନ୍ତି।

ନିଜ ପରାଜୟକୁ ସ୍ୱୀକାର କରି ରଘୁବର କହିଛନ୍ତି ଯେ ମୁଁ ଜନାଦେଶକୁ ସ୍ୱାଗତ କରୁଛି। ଏବଂ ଏ ପରାଜୟକୁ ସ୍ୱୀକାର ମଧ୍ୟ କରୁଛି। ତେବେ, ପରାଜୟ ବ୍ୟକ୍ତିଗତ ଭାବେ ମୋର; ସାମଗ୍ରିକ ଭାବେ ଦଳର ନୁହେଁ।

ସମ୍ବନ୍ଧିତ ଖବର