କୋଲକାତା: ପଶ୍ଚିମବଙ୍ଗରେ ଆଜି ବିଜେପି ରାମନବମୀ ଅବସରରେ ରାଜ୍ୟବ୍ୟାପୀ ଶକ୍ତି ପ୍ରଦର୍ଶନ କରିଛି। ଆଜି ସକାଳେ ହଜାର ହଜାର ବିଜେପି ସମର୍ଥକ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ଶତାଧିକ ସ୍ଥାନରେ ଶୋଭାଯାତ୍ରା କରିଥିଲେ। ରାମନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଆଜି ସକାଳୁ କୋଲକାତାର ଚାରିଆଡ଼େ ଉତ୍ସବର ବାତାବରଣ ଦେଖିବାକୁ ମିଳିଥିଲା। ରାମାୟଣର ଦୃଶ୍ୟକୁ ଦର୍ଶାଉଥିବା କେଶରୀ ପତାକା, ଭକ୍ତି ସଙ୍ଗୀତ ଏବଂ ମେଢ଼ ସହ ବିଜେପି କର୍ମୀମାନେ ରାସ୍ତାକୁ ଓହ୍ଲାଇଥିଲେ। ବିଜେପି ନେତ୍ରୀ ଲକେଟ ଚାଟାର୍ଜୀ କହିଛନ୍ତି ଯେ କେତେକ ସ୍ଥାନରେ ପୁଲିସ ଶୋଭାଯାତ୍ରାକାରୀଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା। କେବଳ କୋଲକାତାରେ ୬୦ରୁ ଅଧିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏଥିପାଇଁ ପ୍ରାୟ ୪ରୁ ୫ ହଜାର ପୁଲିସ ମୁତୟନ କରାଯାଇଥିଲା। ଡେପୁଟି କମିସନର ଓ ଯୁଗ୍ମ କମିସନର ପାହ୍ୟାର ବରିଷ୍ଠ ଅଧିକାରୀଙ୍କୁ ଶୋଭାଯାତ୍ରା ମାର୍ଗରେ ସୁରକ୍ଷା ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଥିଲା। ।
ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, ବିଭିନ୍ନ ରାମନବମୀ କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ସାମିଲ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ରାମନବମୀ ଅବସରରେ ପୂର୍ବ ମେଦିନୀପୁର ଜିଲ୍ଲାର ନନ୍ଦିଗ୍ରାମଠାରେ ରାମ ମନ୍ଦିରର ଶିଳାନ୍ୟାସ କରିଛନ୍ତି। ବିଶ୍ୱ ହିନ୍ଦୁ ପରିଷଦ ଏବଂ ହିନ୍ଦୁ ଜାଗରଣ ମଞ୍ଚ ସମେତ ବିଜେପି ସହ ଜଡିତ ବିଭିନ୍ନ ହିନ୍ଦୁ ସଂଗଠନ ମଧ୍ୟ ପଶ୍ଚିମବଙ୍ଗରେ ଶୋଭାଯାତ୍ରାରେ ବାହାରିଥିଲେ। ଅନ୍ୟପକ୍ଷରେ ଶାସକ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରୁଛି। ତୃଣମୂଳ କଂଗ୍ରେସ ମୁଖପାତ୍ର କୁନାଲ ଘୋଷ କହିଛନ୍ତି, ରାମନବମୀକୁ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିବାକୁ ବିଜେପି ଚେଷ୍ଟା କରିଛି। ସେମାନେ ବିକାଶ ରାଜନୀତିରେ ନାହାନ୍ତି ବରଂ ଧର୍ମ ନାଁରେ ରାଜନୀତି କରି ଅଶାନ୍ତି ସୃଷ୍ଟି କରିବାକୁ ଚାହୁଛନ୍ତି ବୋଲି ସେ କହିଛନ୍ତି।
ଆଜି ସାରା ଦେଶରେ ରାମନବମୀ ଧୁମଧାମରେ ପାଳନ କରାଯାଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ପଶ୍ଚିମବଙ୍ଗ, ରାଜସ୍ଥାନ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ବିହାରରେ ଅନେକ ବିଶାଳ ରାମନବମୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। କୌଣସି ପ୍ରକାର ହିଂସାତ୍ମକ ଘଟଣାକୁ ଏଡ଼ାଇବା ପାଇଁ ପ୍ରଶାସନ ହାଇ ଆଲର୍ଟରେ ରହିଥିଲା। ପଶ୍ଚିମବଙ୍ଗର ହାୱଡ଼ା ସମେତ ୧୦ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଥିଲା। ଜୟପୁର ଓ ଟଙ୍କ୍ର କିଛି ସମ୍ବେଦନଶୀଳ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇବାରୁ ସେଠାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଉଭୟ ସହରରେ ପୁଲିସ ହାଇ ଆଲର୍ଟରେ ରହିଛି। ମୁମ୍ବାଇରେ ୧୧ ହଜାର ପୁଲିସ ମୁତୟନ କରାଯାଇଥିବା ଜଣାପଡ଼ିଛି। ଝାଡଖଣ୍ଡର ରାଞ୍ଚି, ହଜାରୀବାଗ, ଜାମସେଦପୁର ଓ ଗିରିଡିହ ଜିଲ୍ଲାରେ ୫ ହଜାର ପୁଲିସ କର୍ମୀ ମୁତୟନ କରାଯାଇଥିଲା। ମଧ୍ୟପ୍ରଦେଶର ଇନ୍ଦୋରରେ ୨ ହଜାରରୁ ଅଧିକ ଓ ଖଣ୍ଡୱାରେ ୫୦୦ରୁ ଅଧିକ ପୁଲିସ ମୁତୟନ ହୋଇଥିଲେ। ଅହମଦାବାଦରେ ସମ୍ବେଦନଶୀଳ ସ୍ଥାନରେ ୧୪ ହଜାର ସିସିଟିଭି ମାଧ୍ୟମରେ ନଜର ରଖାଯାଇଥିଲା ଏବଂ ଶୋଭାଯାତ୍ରା ପାଇଁ ପାଖାପାଖି ୧ହଜାର ପୁଲିସ ଫୋର୍ସ ମୁତୟନ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/07/8e2fCjr6hnyuo30sfYTw.jpg)