୫ ରାଜ୍ୟରେ ନିର୍ବାଚନ ପାଇଁ ବିଜେପିର ରଣନୀତି ପ୍ରସ୍ତୁତି

ବୈଠକରେ ମନ୍ତ୍ର ଦେଲେ ମୋଦୀ

ନୂଆଦିଲ୍ଲୀ : ଆଗାମୀ ଦିନରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏ ବାବଦ ରଣନୀତି ପ୍ରସ୍ତୁତ କରିବା ପାଇଁ ଆଜି ବିଜେପିର ରଣନୀତି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଦନ ଦେଇଥିଲେ। ବୈଠକରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ସମେତ ସମସ୍ତ ଜାତୀୟସ୍ତରର ପଦାଧିକାରୀ, ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ , ସହ ପ୍ରଭାରୀ ଏବଂ ବିଭିନ୍ନ ରାଜ୍ୟର ସାଧାରଣ ସଂପାଦକମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପଶ୍ଚିମବଂଗ, ଆସାମ,ତାମିଲନାଡ଼ୁ ସମେତ ୫ ରାଜ୍ୟରେ ନିର୍ବାଚନ ପାଇଁ ରଣନୀତି ଉପରେ ବିଶେଷ ଆଲୋଚନା ହୋଇଥିଲା । ଲୋକଙ୍କ ସେବାରେ ନିଷ୍ଠାର ସହ ନିୟୋଜିତ ରହିବା ଏବଂ ସରକାରଙ୍କ କଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ସଂପର୍କରେ ଲୋକଙ୍କ ନିକଟରେ ସଠିକ୍‌ ତଥ୍ୟ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୁରୁତ୍ବାରୋପ କରିଥିଲେ। ବୈଠକରେ ନୂଆ କୃଷି ଆଇନ ଏବଂ ଆତ୍ମନିର୍ଭର ଭାରତ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ନୂଆ କୃଷି ଆଇନକୁ ବିରୋଧ କରି ଏବେ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି ଏବଂ ବିରୋଧୀ ଦଳମାନେ ଚାଷୀଙ୍କୁ ସମର୍ଥନ କରି ନୂଆ ଆଇନ ପ୍ରତ୍ୟାହାର ଦାବି କରୁଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ଚାଷୀ ଆନ୍ଦୋଳନକୁ ନେଇ ବିଜେପିକୁ ଘେରିବାକୁ ବିରୋଧୀ ଦଳମାନେ ପ୍ରସ୍ତୁତ ହେଉଥିବାରୁ ଏହାର ମୁକାବିଲା ପାଇଁ ମଧ୍ୟ ବିଜେପି ପ୍ରସ୍ତୁତ ହେଲାଣି। ବିଶେଷକରି ପଶ୍ଚିମବଙ୍ଗ ଓ ତାମିଲନାଡୁରେ ନୂଆ କୃଷି ଆଇନକୁ ବିରୋଧୀ ଦଳମାନେ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିବାକୁ ସଜବାଜ ହେଉଛନ୍ତି।

ସମ୍ବନ୍ଧିତ ଖବର