ଦିଲ୍ଲୀ ନିର୍ବାଚନ: ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲଙ୍କୁ ଟକ୍କର ଦେବାକୁ ବିଜେପି ପ୍ରସ୍ତୁତ କଲା ‘ଟିମ୍‌-୪୦’…

ନୂଆଦିଲ୍ଲୀ: ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌କୁ ପରାଜୟର ଦ୍ୱାର ଦେଖାଇ ଦିଲ୍ଲୀ ବିଧାନସଭାକୁ ଦଖଲ କରିବା ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇ ଯାଇଛି। ୨୦୧୫ ନିର୍ବାଚନରେ ୭୦ ଆସନ ମଧ୍ୟରୁ ମାତ୍ର ୩ଟି ଆସନରେ ବିଜୟ ହାସଲ କରି ଆପ୍‌ ହାତରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ବିଜେପି। ଏଥରକ ୨୦୨୦ ନିର୍ବାଚନରେ କିନ୍ତୁ ଦିଲ୍ଲୀ ବିଧାନସଭାକୁ ହାତେଇବା ଲକ୍ଷ୍ୟରେ କୌଣସି ସାମାନ୍ୟତମ ସୁଯୋଗକୁ ବି ହାତଛଡ଼ା କରିବା ପାଇଁ ପ୍ରସ୍ତୁତ ନୁହେଁ ଦଳ। ସେଥିପାଇଁ ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲଙ୍କୁ ଟକ୍କର ଦେବାକୁ ଦଳ ପ୍ରସ୍ତୁତ କରିଛି ‘ଟିମ୍‌-୪୦’।

ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ମାତ୍ର ୨୦ ଦିନର ସମୟ ବାକି ରହିଥିବା ବେଳେ ବିଜେପି ପକ୍ଷରୁ ପ୍ରସ୍ତୁତ କରାଯାଇଛି ୪୦ ଜଣ ଷ୍ଟାର ପ୍ରଚାରକଙ୍କର ଏକ ଲମ୍ବା ତାଲିକା। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ରହିଛନ୍ତି ଅମିତ ଶାହା, ସ୍ମୃତି ଇରାନୀ, ନୀତୀନ ଗଡ଼କରୀ, ରାଜନାଥ ସିଂହ, ହର୍ଷ ବର୍ଦ୍ଧନ, ବିଜୟ ଗୋୟଲ ଓ ବର୍ତ୍ତମାନର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପର୍ଯ୍ୟନ୍ତ ବହୁ ନାମିଦାମୀ ନେତା।

NDTV

ଏହାବାଦ ଅଧିକାଂଶ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାରରେ ସକ୍ରିୟ ଅଂଶ ଗ୍ରହଣ କରିବେ। ଏମାନଙ୍କ ମଧ୍ୟରେ ଅଛନ୍ତି ଦଳର ପୋଷ୍ଟର ବୟ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ଶିବରାଜ ସିଂହ ଚୌହାନ ଓ ଅର୍ଜୁନ ମୁଣ୍ଡା ପ୍ରମୁଖ।

ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ସମସ୍ତ ବିଧାନସଭା ନିର୍ବାଚନମାନଙ୍କରେ ଦଳ ନିର୍ବାଚନ ପୂର୍ବରୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରି ଆସୁଥିବା ବେଳେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ କାହାରିକି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଘୋଷଣା କରିନାହିଁ। ଅପରପକ୍ଷରେ ଆପ୍‌ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଯେପରି ଦ୍ୱନ୍ଦ୍ୱ ଲାଗି ରହିଲା, ତାକୁ ଦେଖିବା ପରେ ଦଳ ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ସଂଶୟରେ ରହିଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର