ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବଡ଼ ପ୍ରସ୍ତୁତି  ଆରମ୍ଭ କରିଦେଇଛି। ଆଜିଠାରୁ ଦିଲ୍ଲୀରେ ଦଳର ଦୁଇ ଦିନିଆ କର୍ମଶାଳା  ଆରମ୍ଭ ହୋଇଛି ଏବଂ ଏଥିରେ ସମସ୍ତ ସାଂସଦ ଅଂଶଗ୍ରହଣ କରୁଛନ୍ତି।  ଏହି କର୍ମଶାଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ଦଳୀୟ କର୍ମୀଙ୍କ ସହ ଶେଷ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଥିଲା।   ବିଜେପି ସାଂସଦମାନେ ଏହି କର୍ମଶାଳାରେ ଜିଏସ୍‌ଟି ସଂସ୍କାର ପାଇଁ ମୋଦୀଙ୍କୁ ସମ୍ମାନିତ କରିଛନ୍ତି।

Advertisment

ପ୍ରଥମ ଦିନରେ କର୍ମଶାଳାରେ ଦୁଇଟି ମୁଖ୍ୟ ବିଷୟ ‘୨୦୨୭ ସୁଦ୍ଧା ବିକଶିତ ଭାରତ’ ଏବଂ ‘ସାଂସଦମାନଙ୍କ ଦ୍ୱାରା ସାମାଜିକ ଗଣମାଧ୍ୟମର ପ୍ରଭାବଶାଳୀ ବ୍ୟବହାର’ ଉପରେ ଆଲୋଚନା ହୋଇଛି। ସକାଳ ୯ଟାରେ ଦୀପ ପ୍ରଜ୍ୱଳନ, ବନ୍ଦେ ମାତରମ୍, ଉଦ୍‌ଘାଟନୀ ଭାଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କର୍ମଶାଳା ଆରମ୍ଭ ହୋଇଥିଲା। ଅପରାହ୍ନରେ ସାଂସଦମାନେ କୃଷି, ପ୍ରତିରକ୍ଷା, ଶକ୍ତି, ଶିକ୍ଷା, ରେଳ ଓ ପରିବହନ ଆଦି ବିଷୟରେ କମିଟିରେ ଆଲୋଚନା କରିଛନ୍ତି।  ଏହା ସହ ଆଗାମୀ ସଂସଦୀୟ ଅଧିବେଶନ, ସଂସଦୀୟ ପ୍ରକ୍ରିୟା  ଅଧୀନସ୍ଥ ଆଇନ ଓ ସମୟ ପରିଚାଳନା ଉପରେ ମଧ୍ୟ ଆଲୋଚନା ହୋଇଛି। ଦ୍ୱିତୀୟ ଦିବସରେ ସାଂସଦମାନଙ୍କୁ ସେପ୍ଟେମ୍ବର ୯ ତାରିଖରେ ହେବାକୁ ଥିବା  ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଶିକ୍ଷଣ ଦିଆଯିବ।

ଉପରାଷ୍ଟ୍ରପତି ନିର୍ବାଚନରେ ଇଣ୍ଡି ମେଣ୍ଟ ପ୍ରାର୍ଥୀ  ଅବସରପ୍ରାପ୍ତ ବିଚାରପତି ବି. ସୁଦର୍ଶନ ରେଡ୍ଡୀ ଏବଂ ଏନ୍‌ଡିଏର ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ରାଧାକ୍ରିଷ୍ଣନ (୬୭), ତାମିଲନାଡୁରୁ  ଦୁଇ ଥର  ସାଂସଦ ନିର୍ବାଚିତ ହୋଇଥିବା ବେଳେ  ବର୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି। ଅନ୍ୟପକ୍ଷରେ ତେଲେଙ୍ଗାନାର ସୁଦର୍ଶନ ରେଡ୍ଡୀ (୭୯)  ହେଉଛନ୍ତି ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି। ରେଡ୍ଡି କଳାଧନ ମାମଲା ଓ ସଲୱା ଜୁଡ଼ୁମ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ। ବିରୋଧୀ ଦଳମାନେ ଏହି ନିର୍ବାଚନକୁ  ଏନ୍‌ଡିଏ ବିରୋଧରେ ‘ଆଦର୍ଶଗତ ଲଢ଼େଇ’ ବୋଲି କହୁଥିବା ବେଳେ ଏନ୍‌ଡିଏ ପାଖରେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ରହିଛି।