ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ଯୋଗୁ ସମ୍ଭବ ହୋଇଛି। ସଂସଦୀୟ ପାର୍ଟି ବୈଠକରେ ଦଳର ସାଂସଦମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ଏଥିସହିତ ଆଗକୁ ମଧ୍ୟ ସାମୂହିକ ଭାବନା ସହିତ ବଢ଼ିବା ଲାଗି ମୋଦୀ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି।
ଶାସନ ମଡେଲ ଏବଂ ପ୍ରଦର୍ଶନ ପାଇଁ ବିଜେପି ଏବେ ଲୋକଙ୍କ ପସନ୍ଦର ଦଳ ହୋଇଛି। ଶାସନରେ ଥାଇ କ୍ଷମତାକୁ ଫେରିବା ଲାଗି ଚେଷ୍ଟା କରୁଥିଲେ ମଧ୍ୟ ଏହା ହୋଇପାରିଛି। ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିବା ଏବଂ ପ୍ରଦର୍ଶନ ଯୋଗୁ ସରକାର ବିରୋଧୀ ହାୱା ସରକାର ସପକ୍ଷବାଦୀ ହାୱାରେ ପରିଣତ ହୋଇଛି ବୋଲି ବିଜେପି ଦାବି କରୁଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଜେପି ଦ୍ବିତୀୟ ଥର କ୍ଷମତାକୁ ଫେରିବା ରେକର୍ଡ ୫୭ ପ୍ରତିଶତ ରହିଛି। କିନ୍ତୁ କଂଗ୍ରେସରେ ଏହା ୨୦ ପ୍ରତିଶତରୁ କମ୍ ରହିଛି। ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଏହା ୪୯ ପ୍ରତିଶତ ବୋଲି ମୋଦୀ କହିଛନ୍ତି।
ବିକଶିତ ଭାରତ ଯାତ୍ରାରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦମାନଙ୍କୁ କହିଛନ୍ତି। ନେତାମାନେ ତାଙ୍କୁ ‘ମୋଦୀଜୀ’ ଏବଂ ‘ଆଦରଣୀୟ ମୋଦୀଜୀ’ କହି ସମ୍ବୋଧନ କରୁଥିବାରୁ ଏଭଳି ନକରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ମୋ ନାମ ପୂର୍ବରୁ ଓ ପରେ ଏଭଳି ଶବ୍ଦ ଯୋଡ଼ିବା ଦ୍ବାରା ଲୋକଙ୍କଠାରୁ ଦୂରତା ବଢ଼ିଥାଏ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ‘ମୋଦୀଜୀ’ ନୁହେଁ ‘ମୋଦୀ କୀ ଗ୍ୟାରେଣ୍ଟି’ ଭାବେ କହିବାକୁ ହେବ ବୋଲି କହିଛନ୍ତି। ଦୁର୍ବଳ ଆଦିବାସୀ ବର୍ଗର ଲୋକଙ୍କ ପାଇଁ ହୋଇଥିବା ଯୋଜନାଗୁଡ଼ିକରେ ସାଂସଦମାନେ ସାମିଲ ହେବାକୁ ନିଶ୍ଚିତ କରନ୍ତୁ ବୋଲି ମୋଦୀ ପରାମର୍ଶ ଦେଇଛନ୍ତି।