ଉପନିର୍ବାଚନରେ ବି‌ଜେପିର ବାଜିମାତ୍‌: ଗୁଜରାଟ, ୟୁପିରେ ବଡ଼ ବିଜୟ

ମଧ୍ୟପ୍ରଦେଶରେ ୨୮ ଆସନରୁ ୨୦ରେ ବିଜୟୀ

ନୂଆଦିଲ୍ଲୀ,: ଦେଶବ୍ୟାପୀ ମୋଟ୍‌ ୧୨ଟି ରାଜ୍ୟରେ ୫୮ ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପିର ବାଜିମାତ୍‌ ହୋଇଛି। ବିହାରରେ ବାଲ୍ମିକୀ ନଗର ଲୋକସଭା ଆସନ ସମେତ ମୋଟ୍‌ ୫୭ ଟି ଆସନ ତଥା ମଧ୍ୟପ୍ରଦେଶରେ ୨୮, ଗୁଜରାଟରେ ୮, ଉତ୍ତରପ୍ରଦେଶରେ ୭, ଝାଡ଼ଖଣ୍ଡ, କର୍ଣ୍ଣାଟକ, ନାଗାଲାଣ୍ଡ୍‌, ମଣିପୁର ଏବଂ ଓଡ଼ିଶାରେ ୨ଟି ଲେଖାଏଁ ଆସନ, ହରିୟାଣା, ଛତିଶଗଡ଼ ଏବଂ ତେଲେଙ୍ଗାନାରୁ ଗୋଟିଏ ଲେଖାଏଁ ଆସନରେ ଉପନିର୍ବା‌ଚନ ହୋଇଥିଲା। ମଧ୍ୟପ୍ରଦେଶରେ ୨୮ଟି ଆସନରୁ ବିଜେପି ୨୦ ଆସନରେ ବିଜୟୀ ହୋଇଥିବା ବେଳେ ଗୁଜରାଟରେ ବିଜେପି ସମସ୍ତ ୮ଟି ଆସନରେ ଜିତିଯାଇଛି। ଅନ୍ୟପକ୍ଷେ କଂଗ୍ରେସ ୟୁପିରେ ମଧ୍ୟ ଗୋଟିଏ ବି ଆସନ ପାଇନାହିଁ। ଉତ୍ତରପ୍ରଦେଶରେ ୭ ଆସନରୁ ବିଜେପି ୬ଟି ଆସନରେ ଜିତିଛି ଏବଂ ଅନ୍ୟ ଆସନଟି ସମାଜବାଦୀ ପାର୍ଟିକୁ ଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଉପନିର୍ବାଚନ ଫଳ ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ବିଜୟର ସଙ୍କେତ ଦେଇଛି। କର୍ଣ୍ଣାଟକରେ ୨ଟିଯାକ ବିଧାନସଭା ଆସନରେ ମଧ୍ୟ ବିଜେପି ଜିତିଯାଇଛି।

କର୍ଣ୍ଣାଟକ ଉପନିର୍ବାଚନ ଫଳାଫଳ ବିଜେପି ପାଇଁ ଏକ ନୂଆ ଆରମ୍ଭ ବୋଲି କୁହାଯାଉଛି । ତେଲେଙ୍ଗାନାରୁ ଗୋଟିଏ ଆସନ ଡୁବାକାରେ ଉପନିର୍ବାଚନ ହୋଇଥିଲା। ଏହି ଆସନରେ ବିଜେପିର ଅପ୍ରତ୍ୟାଶିତ ବିଜୟ ହୋଇଛି। ମଣିପୁରରେ ୪ଟି ଆସନରେ ନିର୍ବାଚନ ହୋଇଥିବା ବେଳେ ୩ଟି ଆନନରେ ଏବଂ ଅନ୍ୟଟିରେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଜିତିଛନ୍ତି। ହରିୟାଣାରେ ଗୋଟିଏ ଆସନ ବରୋଦାରେ ଉପନିର୍ବାଚନ ହୋଇଥିବାବେଳେ ଏଠାରେ କଂଗ୍ରେସ ପ୍ରାର୍ଥୀ ଇନ୍ଦୁ ରାଜ୍‌ ନରୱାଲ୍‌ ବିଜେପିର ଯୋଗେଶ୍ବର ଦତ୍ତଙ୍କୁ ହରାଇଛନ୍ତି। ନାଗାଲାଣ୍ଡ୍‌ରେ ୨ଟି ଆସନରୁ ‌ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ଜିତିଥିବା ବେଳେ ଅନ୍ୟ ଏକ ଆସନ‌ରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ ଅଛନ୍ତି। ଝାଡ଼ଖଣ୍ଡରେ ୨ଟି ଆସନ ଡୁମ୍‌କା ଏବଂ ବେର୍ମୋରେ ଜେଏମ୍‌ଏମ୍‌- କଂଗ୍ରେସ ମେଣ୍ଟର ବିଜୟ ହୋଇଛି। ଡୁମ୍‌କା ଆସନରେ ଜେଏମ୍ଏମ୍‌ ପ୍ରାର୍ଥୀ ବସନ୍ତ ସୋରେନ୍‌ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଲୁଇସ୍‌ ମାରାଣ୍ଡିଙ୍କୁ ହରାଇଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ବେର୍ମୋ ଆସନରୁ ଜିତିଛି। ବିହାରରେ ବାଲ୍ମିକୀ ନଗର ଲୋକସଭା ଆସନରୁ ଜେଡିୟୁ ପ୍ରାର୍ଥୀ ସୁନୀଲ କୁମାର ନିର୍ବାଚନ ଜିତିଛନ୍ତି।

ସମ୍ବନ୍ଧିତ ଖବର