ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ସରକାର ବିବାଦୀୟ ୩ କୃଷି ଆଇନ ଉଚ୍ଛେଦ କରିଦେଇଛନ୍ତି। ଗତକାଲିଠାରୁ କୃଷକମାନେ ଆନ୍ଦୋଳନ ସ୍ଥଳ ଛାଡ଼ି ଘରକୁ ଫେରିବା ଆରମ୍ଭ କରିଛନ୍ତି। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ବିକେୟୁ (ଭାରତୀୟ କିଷାନ ସଂଗଠନ) ନେତା ରାକେଶ ଟିକାୟତଙ୍କର ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କ’ଣ ଭୂମିକା ରହିବ? ଉତ୍ତରପ୍ରଦେଶ ନିର୍ବାଚନ ନେଇ ସେ କ’ଣ ଯୋଜନା କରିଛନ୍ତି ତାହା ପଚାରିବାରୁ ଟିକାୟତ କହିଛନ୍ତି, ସେ ତାଙ୍କ ସମର୍ଥକମାନଙ୍କୁ ଏନେଇ ଖୁବ୍ଶୀଘ୍ର ସ୍ପଷ୍ଟ କରିବେ। କିନ୍ତୁ ତାଙ୍କ ସଂଗଠନ ରାଜନୀତିଠାରୁ ଦୂରେଇ ରହିବ ଏବଂ ଆଗାମୀ ନିର୍ବାଚନରେ କାହାକୁ ସମର୍ଥନ କରିବନି ବୋଲି ଟିକାୟତ କହିଛନ୍ତି। ବିକେୟୁ ନେତା ଟିକାୟତ ଚାଷୀ ଆନ୍ଦୋଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। କେନ୍ଦ୍ର ସରକାର କୃଷି ଆଇନ ଉଚ୍ଛେଦ କରିବାପରେ ଏବଂ କୃଷକମାନଙ୍କ ଦାବି ଗ୍ରହଣ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ବନ୍ଦ ହୋଇଛି। ତେବେ ଆସନ୍ତା ଜାନୁଆରି ୧୫ରେ ଏସକେଏମ୍ (ସଂଯୁକ୍ତ କିଷାନ ମୋର୍ଚ୍ଚା) ର ଅନ୍ୟ ଏକ ବୈଠକ ଅଛି। ଏହି ବୈଠକରେ ସରକାର ଦେଇଥିବା ପ୍ରତିଶ୍ରୁତି କେତେଦୂର ପୂରଣ କରିଛନ୍ତି ତା’ର ସମୀକ୍ଷା କରାଯିବ ଏବଂ ଏହାପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ୟୁପି ନିର୍ବାଚନରେ ବିକେୟୁ କାହାକୁ ସମର୍ଥନ କରିବନି
ରାଜନୀତିଠାରୁ ଦୂରେଇ ରହିବ: ଟିକାୟତ