କ୍ବେଟା : ଆମେରିକା ଦ୍ବାରା ନିଷିଦ୍ଧ ଘୋଷଣାର ଦିନକ ପରେ ପାକିସ୍ତାନ ସେନା ଉପରେ ବଡ଼ ଆକ୍ରମଣ କରିଛି ବେଲୋଚ ମୁକ୍ତି ବାହିନୀ( ବିଏଲଏ) । ଏହି ଆକ୍ରମଣରେ ଅତି କମରେ ୯ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଆକ୍ରମଣ ପାଇଁ କୌଣସି ବେଲୁଚ ସଂଗଠନ ନିଜକୁ ଦାୟୀ କରିନଥିଲେ ବି ଏହା ପଛରେ ବିଏଲଏ ଥିବା କୁହାଯାଉଛି ।
ପାକ୍ ସେନା ଯବାନମାନେ ଯାଉଥିବା ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୯ ଜଣ ଯବାନ ମୃତ୍ୟୁବରଣ କରିଛନ୍ତି ଓ ଆହୁରି କେତେକ ଆହତ ହୋଇଛନ୍ତି ।
ମଙ୍ଗଳବାର ଦିନ ପାକିସ୍ତାନୀ ସୁରକ୍ଷା ଅଧିକାରୀମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ୱାଶୁକ୍ ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବେଲୁଚ ଆତଙ୍କବାଦୀମାନେ ଏକ ପୁଲିସ ଷ୍ଟେସନ ଏବଂ ଏକ ସୀମା ସୁରକ୍ଷା କମ୍ପ୍ଲେକ୍ସ ଉପରେ ଆକ୍ରମଣ କରିଛନ୍ତି। ଅଧିକାରୀଜଣକ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, "ସେନା ଯବାନମାନେ ଯାଉଥିବା ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୯ ଜଣ ଯବାନ ମୃତ୍ୟୁବରଣ କରିଛନ୍ତି ଓ ଆହୁରି କେତେକ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ସୋମବାର ଦିନ ଆମେରିକା ବିଏଲଏ ଓ ମାଜିଦ ବ୍ରିଗେଡକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା । ବିଗତ ପ୍ରାୟ ୨୦ ବର୍ଷ ହେଲା ବିଏଲଏ ପକ୍ଷରୁ ପାକିସ୍ତାନ ସେନା ଉପରେ ବଡ଼ ବଡ଼ ଆକ୍ରମଣ କରାଯାଇଛି । ସେହିପରି ମାଜିଦ ବ୍ରିଗେଡ୍ ବେଲୁଚିସ୍ତାନର ଘାତକ ଆତ୍ମଘାତୀ ବାହିନୀଭାବେ ଜଣାଶୁଣା । ୨୦୧୧ ମସିହାରେ ଗଠିତ ମାଜିଦ ବ୍ରିଗେଡ ଗତ ୧୪ ବର୍ଷ ମଧ୍ୟରେ ୨୦୦ରୁ ଅଧିକ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା କରିଛି।