ବିଜେପି ପାଇଁ ‘କଳା’ ଅଗଷ୍ଟ !

ଭୁବନେଶ୍ବର (ପୁଷ୍ପମିତ୍ର ମହାନ୍ତି) : ଦେଶ ଲାଗି ‘ଅଗଷ୍ଟ’ ଏକ ଗୁରୁତ୍ବପୂର୍ଣ୍ଣ ମାସ। ଏହି ମାସରେ ଦେଶ ସ୍ବାଧୀନ ହୋଇଥିଲା, ପୁଣି ବିଭାଜିତ ବି ହୋଇଥିଲା। ମାତ୍ର ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ  ‘ଅଗଷ୍ଟ’  ଏକ ‘କଳା ମାସ’ ରୂପେ ବିବେଚିତ ହୋଇଛି।  କାରଣ ଶୁଭଙ୍କର ହେବା ପରିବର୍ତ୍ତେ ଅଗଷ୍ଟ ମାସ ଅତ୍ୟନ୍ତ ଅଶୁଭ ଫଳ ପ୍ରଦାନ କରିଛି ବିଜେପିକୁ। ଅଗଷ୍ଟ ମାସରେ ଦଳ ହରାଇଛି ତାହାର ତିନି ତିନି ଜଣ ଦିଗ୍ଗଜ ନେତାଙ୍କୁ।

ବିଜେପିର ଅନ୍ୟତମ ପ୍ରତିଷ୍ଠାତା ତଥା ଦଳର ପ୍ରଥମ ପ୍ରଧାନମନ୍ତ୍ରୀ ଥିବା ଅଟଳ ବିହାରୀ ବାଜପେୟୀଙ୍କର ପରଲୋକ ହୋଇଥିଲା ୨୦୧୮ ଅଗଷ୍ଟ ୧୬ ତାରିଖରେ। ବାଜପେୟୀଙ୍କ ବିୟୋଗ ଥିଲା ଦଳ ପାଇଁ ଏକ ଅପୂରଣୀୟ କ୍ଷତି।

ବାଜପେୟୀଙ୍କ ବିୟୋଗକୁ ଏକ ବର୍ଷ ପୂରି ନଥିବା ବେଳେ ଚଳିତ ଅଗଷ୍ଟ ୬ ତାରିଖରେ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ପରଲୋକ ଗମନ କଲେ ଦଳର ଅନ୍ୟଜଣେ ସର୍ବମାନ୍ୟ ତଥା ତୁଙ୍ଗ ନେତ୍ରୀ ସୁଷମା ସ୍ୱରାଜ। ସୁଷମାଙ୍କ ଅକାଳ ବିୟୋଗରେ ଦେଶ ହରାଇଥିଲା ଜଣେ ସଫଳ ବୈଦେଶିକ ମନ୍ତ୍ରୀଙ୍କୁ ଆଉ ବିଜେପି ହରାଇଥିଲା ଦଳର ଜଣେ ପ୍ରତିଶ୍ରୁତି ସମ୍ପନ୍ନା ରାଜନେତାଙ୍କୁ।

ତେବେ, ସୁଷମା ସ୍ୱରାଜଙ୍କ ବିୟୋଗ ଜନିତ ଦାରୁଣ ଧକ୍କାରୁ ଦଳ ସଂପୂର୍ଣ୍ଣ ରୂପେ ମୁକୁଳି ନଥିବା ବେଳେ ଦଳକୁ ଲାଗିଛି ଆଉ ଏକ ଶକ୍ତ ଧକ୍କା। ଦଳରେ ଏକ ମେରୁଖୁଣ୍ଟ ରୂପେ ବିବେଚିତ ହେଉଥିବା ଦଳର ଅନ୍ୟଜଣେ ସର୍ବମାନ୍ୟ ନେତା ଅରୁଣ ଜେଟଲୀ ଆଜି (ଅଗଷ୍ଟ ୨୪ ତାରିଖରେ) ପରଲୋକ ଗମନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରଧାନମନ୍ତ୍ରିତ୍ୱ କାଳରେ ଅରୁଣ ଜେଟଲୀ ଦେଶର ଅର୍ଥମନ୍ତ୍ରୀ ଭାବେ ବହୁ ସଂସ୍କାରର ମୂଳ ସଂସ୍କାରକ ରହିବା ସହ ମୋଦିଙ୍କ କ୍ୟାବିନେଟ୍‌ରେ ଜଣେ ‘କ୍ରାଇସିସ୍‌ ମ୍ୟାନେଜର’ ରୂପେ ବିବେଚିତ ହେଉଥିଲେ।

ବାଜପେୟୀଙ୍କ ପରଲୋକ ଅବଶ୍ୟ ପରିଣତ ବୟସରେ ହୋଇଥିଲା। କିନ୍ତୁ, ସୁଷମା ସ୍ୱରାଜ ମାତ୍ର ୬୭ ବର୍ଷ ଓ ଅରୁଣ ଜେଟଲୀ ମାତ୍ର ୬୬ ବର୍ଷ ବୟସରେ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ଦଳକୁ ଅନାଥ କରି ଛାଡ଼ି ଚାଲି ଯାଇଛନ୍ତି। ଏହି ତିନି ନେତା ସେମାନଙ୍କ ରାଜନୈତିକ ଜୀବନ ଛାତ୍ରାବସ୍ଥାରୁ ଆରମ୍ଭ କରିଥିବା ବେଳେ ସେମାନଙ୍କ ମୁତ୍ୟୁ ପର୍ଯ୍ୟନ୍ତ ସମଗ୍ର ଜୀବନ କାଳ ବିଜେପି ରାଜନୀତିରେ ହିଁ ବିତାଇଥିଲେ।

ଅଗଷ୍ଟ ମାସରେ ପରଲୋକ ଗମନ କରିଥିବା ଦଳର ଏହି ତିନି ତୁଙ୍ଗ ନେତା ଅଟଳ ବିହାରୀ ବାଜପେୟୀ, ସୁଷମା ସ୍ୱରାଜ ଓ ଅରୁଣ ଜେଟଲୀଙ୍କ ବିୟୋଗ ଦଳ ପାଇଁ ଯେ ଅପୂରଣୀୟ କ୍ଷତି ଓ ଏହି କ୍ଷତିର ଭରଣା ପାଇଁ ଦଳକୁ ଯେ ଅନେକ କାଳଖଣ୍ଡ ପାଇଁ ଅପେକ୍ଷା କରିବାକୁ ପଡ଼ିବ, ଏହା କହିବା କେବଳ ବାହୁଲ୍ୟ ମାତ୍ର।

ସମ୍ବନ୍ଧିତ ଖବର