ଟୁଇଟର୍‌ରେ ‘ଆଇକିଡୋ’ ବ୍ଲାକ୍‌ ବେଲ୍‌ଟ୍‌ ରାହୁଳ ଗାନ୍ଧୀଙ୍କ ମାର୍ସାଲ୍‌ ଆର୍ଟ ଫଟୋ

ନୂଆଦିଲ୍ଲୀ: ସେ ଜଣେ କ୍ରୀଡ଼ାନିପୂଣ ବ୍ୟକ୍ତି- ସେ ଦୌଡ଼ନ୍ତି, ସନ୍ତରଣ କରନ୍ତି, ଜିମ୍‌ ଯାଆନ୍ତି ଏବଂ ଜାପାନୀ ମାର୍ସାଲ୍‌ ଆର୍ଟ ‘ଆଇକିଡୋ’ର ବ୍ଲାକ୍‌ ବେଲ୍‌ଟ୍‌ ଅଧିକାରୀ ମଧ୍ୟ – ନିକଟରେ ଏ କଥା ପ୍ରକାଶ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ।

ପିଏଚ୍‌ଡି ଚାମ୍ବର୍‌ ଅଫ୍‌ କମର୍ସର ବାର୍ଷିକ ବୈଠକରେ ବକ୍‌ସର୍‌ ବିଜେନ୍ଦର୍‌ ସିଂହ ତାଙ୍କ ଜୀବନରେ କ୍ରୀଡ଼ାର ମହତ୍ତ୍ୱ ସଂକ୍ରାନ୍ତରେ ପ୍ରଶ୍ନ କରନ୍ତେ ରାହୁଳ ଏ କଥା ପ୍ରକାଶ କରିଥିଲେ। ଅଲିମ୍ପିକ୍‌ କାଂସ୍ୟ ବିଜେତା ବିଜେନ୍ଦର୍‌ କହିଥିଲେ କି ସାଂସଦ ଓ ବିଧାୟକମାନେ ଉତ୍ସବାନୁଷ୍ଠାନରେ ରିବନ୍‌ କାଟିବା କଥା ସେ ଦେଖିଛନ୍ତି, କିନ୍ତୁ ଜଣେ ରାଜନେତା ଖେଳରେ ମାତିଥିବା କଥା ଏ ଯାଏଁ ଦେଖି ନାହାନ୍ତି।

ଏ କଥାରେ ରାହୁଳ ବକ୍ସର୍‌ଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି, ସେ ସେପରି କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଥିଲେ।
ତେଣୁ ବୁଧବାର ଦିନ କଂଗ୍ରେସ ପାର୍ଟିର ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡେଲ୍‌ ବିଖ୍ୟାତ ତାଲିମଦାତା ପାରିତୋଶ କରଙ୍କ ସହ ରାହୁଳ ‘ଆଇକିଡୋ’ ଅଭ୍ୟାସ କରୁଥିବା ଫଟୋ ପୁନଶ୍ଚ ପୋଷ୍ଟ କରିଛି।

ଅଣ୍ଟାରେ କଳା କମରପଟି ବାନ୍ଧି ପାରମ୍ପରିକ କେଇକୋଗି ପରିଧାନ କରିବା ସହ ରାହୁଳ ‘ଆଇକିଡୋ’ରେ ହାତ ଓ ମଣିବନ୍ଧ ଜାବୁଡ଼ି ଧରିବାରେ ନିଜର କୌଶଳ ପ୍ରଦର୍ଶନ କରୁଛନ୍ତି। ଗୋଟିଏ ଫଟୋରେ ୪୭ ବର୍ଷିୟ ରାହୁଳ ତାଙ୍କର ପ୍ରତିଦ୍ୱନ୍ଦୀଙ୍କୁ ମସିଣାରେ ପକାଇ ଦେଉଥିବାର ଦୃଶ୍ୟ ମଧ୍ୟ ରହିଛି।

ଜାପାନୀୟ ମାର୍ସାଲ୍‌ ଆର୍ଟରେ ରାହୁଳଙ୍କ ଦକ୍ଷତା ଉପରେ ସଂଶୟ ମୋଚନ ଏବଂ କ୍ରୀଡ଼ା ପ୍ରତି ତାଙ୍କର ପ୍ରତିବଦ୍ଧତା କେବଳ ପାଟିର କଥା ନୁହେଁ ବୋଲି ଦର୍ଶାଇବା ଟୁଇଟ୍‌ର ଲକ୍ଷ୍ୟ ବୋଲି ମନେ ହେଉଛି।

ଗତ ସପ୍ତାହରେ ଗାନ୍ଧିଙ୍କର ଏହି ଦାୟଦ କହିଥିଲେ ଯେ ଅନ୍ୟ ରାଜନେତାଙ୍କ ଭଳି ସେ କ୍ରୀଡ଼ା ବିମୁଖ ନୁହନ୍ତି। କ୍ରୀଡ଼ା ପ୍ରତି ତାଙ୍କର ଆଗ୍ରହ ଅଛି ଏବଂ ସେ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟନିର୍ଘଣ୍ଟରୁ ସମୟ କାଢ଼ି ସୁସ୍ଥ ରହିବାକୁ ଶାରୀରିକ କାର୍ଯ୍ୟକଳାପ କରନ୍ତି।

ମୁଁ ବ୍ୟାୟାମ କରେ- ଦୌଡ଼, ସନ୍ତରଣ। ମୁଁ ‘ଆଇକିଡୋ’ରେ ଜଣେ ବ୍ଲାକ୍‌ ବେଲ୍‌ଟ୍‌। ମୁଁ ଖେଳେ କିନ୍ତୁ ତାହା ବାହାରେ ପ୍ରକାଶ କରେ ନାହିଁ। କିନ୍ତୁ, ଅତ୍ୟାବଶ୍ୟକ ଭାବେ ମୋ ଜୀବନରେ ଖେଳ ଥିଲା, ଅଛି ଏବଂ ରହିବ ବୋଲି ରାହୁଳ କହିଛନ୍ତି।

 

ସମ୍ବନ୍ଧିତ ଖବର