ପାକିସ୍ତାନ : ଦୁର୍ଘଟଣାଗ୍ରସ୍ତ ବିମାନଟିର ଶେଷ ବୈଷୟିକ ଯାଞ୍ଚ ମାର୍ଚ୍ଚ୨୧ରେ ହୋଇଥିଲା

କରାଚୀ : ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସର ବ୍ଲାକବକ୍ସ ମିଳିଛି । ଏହାକୁ ତଦନ୍ତକାରୀ ଦଳକୁ ହସ୍ତାନ୍ତର କରାଯାଇଛି । ବିମାନର ନିର୍ମାତା ଏୟାରବସ ପାକିସ୍ତାନୀ ଅଧିକାରୀମାନଙ୍କୁ ବୈଷୟିକ ସହାୟତା କରୁଛନ୍ତି ।

ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ବିମାନଟି ଶେଷ ସଂପୂର୍ଣ୍ଣ ବୈଷୟିକ ଯାଞ୍ଚ ମାର୍ଚ୍ଚ ୨୧ରେ ହୋଇଥିଲା । ତାପରଠାରୁ ନିୟମିତ ସାଧାରଣ ମେଣ୍ଟେନାନ୍ସ ଯାଞ୍ଚ କରାଯାଉଥିଲା । ତେବେ ବିମାନର ଦୁଇଟିଯାକ ଇଂଜିନ ଭଲଥିଲା । ଗତ ଗୁରୁବାରଦିନ ଏହି ବିମାନଟି ମସ୍କାଟରୁ ଲାହୋର ଯାଇଥିଲା । ପାକିସ୍ତାନ ବିମାନ ଚଳାଚଳ ପ୍ରାଧିକରଣ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଏହାକୁ ଉଡ଼ାଣ ପାଇଁ ଫିଟ ଘୋଷଣା କରିଥିଲେ । ଏଣୁ କେଉଁ କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଏପର୍ଯନ୍ତ ସଂଦେହ ଘେରରେ ରହିଛି । ବ୍ଲାକ ବକ୍ସ ଓ ଫ୍ଲାଇଟ ଡାଟା ରେକର୍ଡରର ଯାଞ୍ଚ ହେବା ପରେ ପ୍ରକୃତ  କଥା ଜଣାପଡ଼ିବା ଆଶା କରାଯାଉଛି । ଗତକାଲି ହୋଇଥିବା ଏହି ଦୁର୍ଘଟଣାରେ ମୋଟ ୯୭ ଜଣ ନିହତ ହୋଇଥିବା ଜଣାଯାଇଛି । ତେବେ ଦୁଇଜଣ ଯାତ୍ରୀ ଅଲୌକିକଭାବେ ବଞ୍ଚିଯାଇଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।

କରୋନା ମହାମାରୀ ଯୋଗୁଁ ପାକିସ୍ତାନ ସରକାର ଲକଡାଉନ ଘୋଷଣା କରିବା ସହ ବିମାନ ଚଳାଚଳ ବନ୍ଦ କରିଥିଲେ । ଅଳ୍ପ କିଛି ଦିନ ତଳେ ହିଁ ବିମାନ ଚଳାଚଳ ଆରମ୍ଭ ହୋଇଥିଲା । ଅନେକ ଦିନ ଧରି ବିମାନ ପଡ଼ିରହିବା ଯୋଗୁଁ ଇଂଜିନ ଖରାପ ହୋଇଯାଇଥିବା କେତେକ କହୁଛନ୍ତି ।

ସମ୍ବନ୍ଧିତ ଖବର