ଦୁର୍ଘଟଣା ଏଡ଼ାଇବା ପାଇଁ ରେଳ ଡବାରେ ଲାଗିବ ବ୍ଲାକ୍‌ ବକ୍ସ୍‍

ଲକ୍ଷ୍ନୌ: ଶୁକ୍ରବାର ଦିନ ରାୟ ବରେଲି ଠାରେ ଥିବା ରେଳ ଡବା କାରଖାନାରେ ଉଡ଼ାଜାହଜରେ ଲାଗିଥିବା ପରି ବ୍ଲାକ୍‌ବକ୍ସ୍‍ ଲଗାଯାଇଥିବା ସ୍ମାର୍ଟ ରେଳଡ଼ବାର ପ୍ରଥମ ବ୍ୟାଚ୍‌ ଉଦ୍‌ଘାଟିତ ହୋଇଯାଇଛି। ଦୁର୍ଘଟଣା ହାର ହ୍ରାସ କରାଇବାକୁ ଭାରତୀୟ ରେଳବାଇରେ ଏହି ପ୍ରଯୁକ୍ତିବିଦ୍ୟା ଗ୍ରହଣ କରାଯାଇଥିବା କୁହାଯାଉଛି।

ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଅବସରରେ ସ୍ମାର୍ଟ ରେଳଡ଼ବା ଉନ୍ମୋଚନ କରି ରାୟ ବରେଲି ରେଳ ଡବା କାରଖାନାର ଜେନେରାଲ ମ୍ୟାନେଜର୍‌ ରାଜେଶ ଅଗ୍ରଓ୍ଵାଲ୍‌ କହିଲେ: ସ୍ମାର୍ଟ କୋଚ୍‌ ବିଶ୍ୱ ପରିବହନର ଦୃଶ୍ୟପଟ୍ଟ ବଦଳାଇ ଦେବ। ଏହା ରେଳବାଇକୁ ଯାତ୍ରାର ସବୁଠୁ ନିରାପଦ ମାଧ୍ୟମ ଭାବେ ଅଭିହିତ କରାଇବ। ମୁଖ୍ୟ ଡିଜାଇନ୍‌ ଇଞ୍ଜିନିୟର୍‌ ଇନ୍ଦ୍ରଜିତ ସିଂହ କହିଲେ: ସ୍ମାର୍ଟ କୋଚ୍‌ରେ ଲାଗିଥିବା ବ୍ଲାକ୍‌ ବକ୍ସ୍‍ ଉଡ଼ାଜାହଜରେ ଲାଗୁଥିବା ବ୍ଲାକ୍‌ ବକ୍ସ୍‍ ଠାରୁ ଉନ୍ନତ।

ଉଡ଼ାଜାହଜରେ ଲାଗୁଥିବା ବ୍ଲାକ୍‌ ବକ୍ସ ଦୁର୍ଘଟଣା ଏଡ଼ାଇ ପାରେ ନାହିଁ। କିନ୍ତୁ, କୋଚ୍‌ରେ ଲାଗିଥିବା ବ୍ଲାକ୍‌ ବକ୍ସ୍‍ ଧାରଣାଚ୍ୟୁତି ଭଳି ଦୁର୍ଘଟଣା ଏଡ଼ାଇ ପାରିବ। ରିୟଲ୍‌ ଟାଇମ୍‌ ଆଧାରରେ ଏହି ବ୍ଲାକ୍‌ ବକ୍ସ୍‍ ଟ୍ରେନ୍‌କୁ କେତେଗୁଡ଼ିଏ ପାରାମିଟର୍‌ ଆଧାରରେ ଅନୁଧ୍ୟାନ କରିବ। ସ୍ୱାଭାବିକ ଠାରୁ କିଛି ଅସୁବିଧା ଦେଖା ଗଲେ ଏହାର ସର୍ଭିଲାନ୍‌ସ୍‌ ୟୁନିଟ୍‌ ସତର୍କ କରାଇ ଦେବ। ତାହାକୁ ଆଧାର କରି ମରାମତି କାର୍ଯ୍ୟ କରାଯାଇ ପାରିବ।

ଟ୍ରେନ୍‌ ଭିତରେ ଲାଗିଥିବା ତାର, କେବଲ ଓ କନେକ୍ଟର୍‌ର ଉତ୍ତାପ ଉପରେ ନଜର ରଖିବା ସହ ସେଥିରେ କିଛି ଆସ୍ୱାଭିକ ବୃଦ୍ଧି ଦେଖିଲେ ରିପୋର୍ଟ କରିବ ଏହି ବ୍ଲାକ୍‌ ବକ୍ସ୍‍। ସର୍ଟ ସର୍କିଟ୍‌ ଜନିତ ଅଗ୍ନିକାଣ୍ଡର ସୂଚନା ମଧ୍ୟ ଏହା ଦେଇ ପାରିବ।

ବ୍ଲାକ୍‌ ବକ୍ସ୍‍ ଛଡ଼ା ସ୍ମାର୍ଟ କୋଚ୍‌ରେ ରହିଛି ରିଅଲ୍‌ ଟାଇମ୍‌ ଭିଡିଓ ଆଉଟ୍‌ପୁଟ୍‌ ସହ ସ୍ମାର୍ଟ ସିସିଟିଭି କ୍ୟାମେରା, ପାସେଞ୍ଜର୍‌ ଇନ୍‌ଫର୍ମେସନ୍‌ ସିଷ୍ଟମ୍‌, ଇମ୍ଫୋଟେନ୍‌ମେଣ୍ଟ୍‌ ସଫ୍‌ଟ୍‌େଓ୍ଵର ଏବଂ ଓ୍ଵାଇ-ଫାଇ ଆକ୍‌ସେସ୍‌।

ସମ୍ବନ୍ଧିତ ଖବର