ନୂଆଦିଲ୍ଲୀ : ଆମେରିକା କ୍ୟାପିଟଲ୍ରେ ହିଂସା ଏବଂ ସଂସଦ ଭବନକୁ ଆନ୍ଦୋଳନକାରୀମାନେ ନିଜ କବ୍ଜାକୁ ନେବାପାଇଁ ପ୍ରୟାସ କରିବା ଘଟଣା ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି କରିଛି। ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମର୍ଥକମାନେ କ୍ୟାପିଟଲ୍ ବିଲ୍ଡିଂ (ସଂସଦ ଭବନ)ରେ ଯେଉଁ ଅଭାବନୀୟ କାଣ୍ଡ ଘଟାଇଲେ ତାହାକୁ ବିଶ୍ବ ନେତାମାନେ କଡ଼ା ନିନ୍ଦା କରିଛନ୍ତି। ଆମେରିକା ଗଣତନ୍ତ୍ର ପାଇଁ ଆଜି ଏକ କଳା ଦିନ ସାବ୍ୟସ୍ତ ହୋଇଥିବା ବେଳେ ଏହି ଘଟଣାରେ ସାରା ବିଶ୍ବ ସ୍ତବ୍ଧ ହୋଇଯାଇଛି। କ୍ଷମତା ହସ୍ତାନ୍ତର ନ କରିବାପାଇଁ ଟ୍ରମ୍ପ୍ଙ୍କ ଏଭଳି ଷଡ଼ଯନ୍ତ୍ର ଆମେରିକା ଗଣତନ୍ତ୍ରକୁ ଏକପ୍ରକାର ଦୁର୍ବଳ କରିଦେଇଛି ବୋଲି ଡେମୋକ୍ରାଟ ଦଳର ନେତାମାନେ କହିଥିବା ବେଳେ ବିଶ୍ବ ନେତାମାନେ ଏନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଆମେରିକାର ମିତ୍ର ରାଷ୍ଟ୍ରମାନେ ଉଦ୍ବେଗ ପ୍ରକାଶ କରିଥିବାବେଳେ ଶତ୍ରୁ ରାଷ୍ଟ୍ର ଆମେରିକାକୁ ପରିହାସ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାପିଟଲ୍ ହିଂସା ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଚିନ୍ତାଜନକ ବୋଲି କହିଛନ୍ତି। ମୋଦୀ କହିଛନ୍ତି, ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ହେବା ଉଚିତ୍ ଏବଂ ବେଆଇନ ଭାବେ ବିରୋଧ ପ୍ରଦର୍ଶନ ଦ୍ବାରା ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଓଲଟାଇ ହେବନାହିଁ । କ୍ୟାପିଟଲ୍ ବିଲ୍ଡିଂରେ ବଡ଼ ଧରଣର ସୁରକ୍ଷା ଭଙ୍ଗ ସହ ୱାସିଂଟନ୍ ଡିସି ରାସ୍ତାରେ ଟ୍ରମ୍ପ୍ ସମର୍ଥକମାନେ ଘଟାଇଥିବା ଉନ୍ମତ୍ତ କାଣ୍ଡକୁ ଜାତିସଂଘ ମଧ୍ୟ କଡ଼ା ନିନ୍ଦା କରିଛି। ୱାସିଂଟନ୍ ଡିସି କ୍ୟାପିଟଲ୍ରେ ଏଭଳି ହିଂସା ଖୁବ୍ ଚିନ୍ତାଜନକ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଆମେରିକା ହେଉଛି ଏକ ପ୍ରମୁଖ ଗଣତାନ୍ତ୍ରିକ ରାଷ୍ଟ୍ର। ତେବେ ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ଆମେରିକାରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶାନ୍ତି ଏବଂ ସମ୍ମାନ ଜାରି ରଖିବାକୁ ହେବ ବୋଲି ଜାତିସଂଘ ସାଧାରଣ ପରିଷଦ ଅଧ୍ୟକ୍ଷ ଭୋଲ୍କାନ ବୋଜ୍କିର କହିଛନ୍ତି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଛନ୍ତି, ଆମେରିକାରେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ହେବା ଅତ୍ୟନ୍ତ ଜରୁରୀ।
କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ କହିଛନ୍ତି ଯେ ହିଂସା କେବେ ବି ଲୋକଙ୍କ ଇଚ୍ଛାକୁ ଅତିକ୍ରମ କରିବାରେ ସଫଳ ହେବନାହିଁ। ଆମେରିକାରେ ଗଣତନ୍ତ୍ର ବଜାୟ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି, ଆମକୁ ଗଣତନ୍ତ୍ରରେ ହିଁ ବିଶ୍ବାସ ରଖିବାକୁ ହେବ ଏବଂ ଏଥିପାଇଁ ଆମେ ଏକଜୁଟ । ଟ୍ରମ୍ପ୍ଙ୍କ ସହ ଅତ୍ୟନ୍ତ ଘନିଷ୍ଠ ଭାବେ କାର୍ଯ୍ୟ କରିଥିବା ବିଶ୍ବନେତାମାନେ ମଧ୍ୟ ଆଜିର ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ କହିଛନ୍ତି, ଆମେରିକୀୟ ସଂସଦରେ ଅତି ବିଚଳିତ ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ହିଂସାକୁ ଆମେ କଡ଼ା ନିନ୍ଦା କରୁଛୁ ବୋଲି ସେ କହିଛନ୍ତି।
‘ଟ୍ରମ୍ପ୍ ହିଁ ଦଙ୍ଗା ପାଇଁ ଆହ୍ବାନ କରିଥିଲେ’
ୱାସିଂଟନ୍ : ଜୋ ବାଇଡେନ୍ଙ୍କ ରାଷ୍ଟ୍ରପତି ନିର୍ବାଚିତ ହେବାକୁ ବିରୋଧ କରି ୟୁଏସ୍ କ୍ୟାପିଟଲ୍ରେ ହୋଇଥିବା ହିଂସା ପାଇଁ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହିଁ ଯୋଜନା ରଚିଥିଲେ ବୋଲି ବିଭିନ୍ନ ଆମେରିକୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ନଭେମ୍ବର ୩ ନିର୍ବାଚନରେ ଜାଲିଆତି ହୋଇଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ ଲଗାତାର ତାଙ୍କ ସମର୍ଥକମାନଙ୍କୁ କହି ଆସୁଥିଲେ ଏବଂ ବାଇଡେନ୍ଙ୍କୁ ବିରୋଧ କରିବା ପାଇଁ ଉସୁକାଉଥିଲେ। ଡେମୋକ୍ରାଟିକ୍ ଦଳରୁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଜୋ ବାଇଡେନ୍ଙ୍କଠାରୁ ଟ୍ରମ୍ପ୍ ପରାଜୟ ସ୍ବୀକାର କରିବାକୁ ଚାହିନଥିଲେ। ସେଥିପାଇଁ ଜାନୁଆରି ୬ରେ ଏକ ବିଶାଳ ରୢାଲି ପାଇଁ ସେ ସମର୍ଥକମାନଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ଏବଂ ଉସୁକାଇଥିଲେ। ଗତ ଡିସେମ୍ବର ୨୦ରେ ଟ୍ରମ୍ପ୍ ଏକ ଟ୍ବିଟ୍ କରି କହିଥିଲେ, ‘୨୦୨୦ ନିର୍ବାଚନ ହାରିବା ଅସମ୍ଭବ। ଜାନୁଆରି ୬ରେ ବଡ଼ ଆନ୍ଦୋଳନ ହେବାକୁ ଯାଉଛି। ସେଠାରେ ଉପସ୍ଥିତ ହୋଇ ଆନ୍ଦୋଳନକୁ ଜୋରଦାର କରିବାକୁ ହେବ’।
ଟ୍ରମ୍ପ୍ଙ୍କ ଏହି ଅନୁରୋଧରେ ସମର୍ଥକମାନେ କ୍ୟାପିଟଲ୍ ବିଲ୍ଡିଂକୁ ଘେରି ଯାଇ ହିଂସା ଘଟାଇଥିଲେ। ଭୋଟିଂ ପ୍ରକ୍ରିୟା ବିରୋଧରେ ନିଜର କ୍ରୋଧ ପ୍ରକାଶ କରି ସେମାନେ କ୍ୟାପିଟଲ୍ରେ ଆକ୍ରମଣ ଓ ଭଙ୍ଗାରୁଜା କରିଥିଲେ। ଆକ୍ରମଣ ସମୟରେ ମଧ୍ୟ ଟ୍ରମ୍ପ୍ ହିଂସାକାରୀଙ୍କୁ ଉସୁକାଇବାକୁ ପ୍ରୟାସ କରି ବାରମ୍ବାର ଟ୍ବିଟ୍ କରୁଥିଲେ। ଆନ୍ଦୋଳନକାରୀଙ୍କୁ ଟ୍ରମ୍ପ୍ ‘ସ୍ବତନ୍ତ୍ର’ ବୋଲି କହିବା ସହ ସେମାନେ ଅନ୍ୟାୟ ବିରୋଧରେ ଲଢ଼େଇ ପାଇଁ ଆଗଭର ହୋଇଛନ୍ତି ବୋଲି ମଧ୍ୟ କହିବାକୁ ଟ୍ରମ୍ପ୍ ପଛାଇ ନଥିଲେ। ସମଗ୍ର ୱାସିଂଟନ ଏଥିଯୋଗୁଁ ଅଶାନ୍ତ ହୋଇ ଉଠିଥିଲା ଟ୍ରମ୍ପ୍ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/f4hfs9hfs9fsh97fsh987fsh.jpg)
