ଆମେରିକାକୁ ମିଳିଲା ବଡ଼ ସଫଳତା: ପାଇଲଟ୍ ବିନା ଉଡ଼ିଲା ବ୍ଲାକ୍ ହକ୍ ହେଲିକପ୍ଟର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆମେରିକାକୁ ମିଳିଲା ବଡ଼ ସଫଳତା। ଆମେରିକାର ସ୍ୱୟଂଚାଳିତ ବ୍ଲାକ୍ ହକ୍ ହେଲିକପ୍ଟର ଯୁଦ୍ଧ ଜଗତରେ ସୃଷ୍ଟି କଲା ନୂଆ ଇତିହାସ । ପ୍ରଥମ ଥର ପାଇଁ ବ୍ଲାକ୍ ହକ୍ ହେଲିକପ୍ଟର ପାଇଲଟ୍ ବିନା ସଫଳତାର ସହ ଉଡିଥିବା ଜଣାପଡ଼ିଛି। ଏହି ହେଲିକପ୍ଟରଟି ଫେବ୍ରୁଆରି ୫ରେ ପ୍ରାୟ ୪୦୦୦ଫୁଟ ଉଚ୍ଚତାରେ ଘଣ୍ଟା ପ୍ରତି ୧୧୫ରୁ ୧୨୫କିଲୋମିଟର ବେଗରେ ଯାତ୍ରା କରି ବିଜ୍ଞାନ ଜଗତରେ ଏକ ନୂଆ ଇତିହାସ ରଚିଥିଲା।

ସୂଚନା ମୁତାବକ, ଆମେରିକାର କେଣ୍ଟୁକି ସହରରେ ଏହି ପରୀକ୍ଷଣ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ପରୀକ୍ଷଣ ପାଇଁ କମ୍ପ୍ୟୁଟର ସିମୁଲେସନ ଦ୍ବାରା ଏକ ନକଲି ସହର ସହ ବିଲ୍ଡିଂ ତିଆରି କରାଯାଇଥିଲା । ବିଲ୍ଡିଂ ସହ ଅନେକ ବାଧାବିଘ୍ନ ଥାଇ ବି ବ୍ଲାକ୍ ହକ୍ ହେଲିକପ୍ଟର ପାଇଲଟ ବିନା ହିଁ ଏହାକୁ ସଫଳତାର ସହ ଅତିକ୍ରମ କରିଥିଲା। ପରୀକ୍ଷଣ ସମୟରେ ବ୍ଲାକ୍ ହକ୍ ହେଲିକପ୍ଟର ସବୁ ପରୀକ୍ଷା ପାସ୍ କରିବା ସହ ସଫଳତାର ସହ ଅବତରଣ କରିଥିଲା ବୋଲି ଜଣାପଡ଼ିଛି। ପ୍ରତିରକ୍ଷା କ୍ଷେତ୍ରରେ ଆମେରିକାର ଏହି ବଡ ସଫଳତା ହେତୁ ଚୀନ୍ ଏବଂ ଋଷର ସମସ୍ୟା ବଢ଼ିବା ନିଶ୍ଚିତ।

କାରଣ ଆମେରିକାର ଏହି ବ୍ଲାକ୍ ହକ୍ ହେଲିକପ୍ଟରଗୁଡ଼ିକ ଯୁଦ୍ଧରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଦ୍ରୁତ ଗତିରେ ଉଡ଼ୁଥିବା ଏହି ହେଲିକପ୍ଟରଗୁଡ଼ିକୁ ରାଡାରେ ଚିହ୍ନଟ କରିବ‌ା ଅତ୍ୟନ୍ତ କଷ୍ଟକର। ଅଲିୟାସ୍ ନାମକ ଏକ ଆମେରିକୀୟ ପ୍ରତିରକ୍ଷା ଅନୁସନ୍ଧାନ କାର୍ଯ୍ୟକ୍ରମ ଅଧୀନରେ କମ୍ପ୍ୟୁଟର ଦ୍ୱାରା ପରିଚାଳିତ ବ୍ଲାକ୍ ହକ୍ ହେଲିକପ୍ଟରର ପରୀକ୍ଷା କରାଯାଇଥିଲା। ଏହି ଗବେଷଣା ତିନିଟି ଲକ୍ଷ୍ୟ ସହିତ ଆଗକୁ ବଢ଼ିଥିଲା। ପ୍ରଥମ ଲକ୍ଷ୍ୟ ସୁରକ୍ଷା ସହିତ ଜଡିତ ଥିଲା। ଦ୍ୱିତୀୟଟି ଲକ୍ଷ୍ୟ ଥିଲା, ଦୁର୍ଘଟଣା କିମ୍ବା ବିପର୍ଯ୍ୟୟ ପରି ପରିସ୍ଥିତିରେ ଏହାର ପ୍ରଭାବକୁ ହ୍ରାସ କରିବା ଏବଂ ତୃତୀୟ ଲକ୍ଷ୍ୟ ଥିଲା ବିମାନର ମୂଲ୍ୟ ହ୍ରାସ କରିବା।

ସମ୍ବନ୍ଧିତ ଖବର