ଜାଲନୋଟ ଜରାସନ୍ଧ ପରି, ନ କାଟିଲେ ମରିବନି : ସୁପ୍ରିମକୋର୍ଟରେ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଜାଲନୋଟ୍, କଳାଧନ ଓ ଆତଙ୍କିପାଣ୍ଠି ହେଉଛି ତିନି ପ୍ରକାରର  ଅସୁର, ଠିକ୍ ପୁରାଣ ବର୍ଣ୍ଣିତ ଜରାସନ୍ଧ ଅସୁର ପରି, ନ କାଟିଲେ ମରିବ ନାହିଁ । ବିମୁଦ୍ରୀକରଣ ସଂପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ କେନ୍ଦ୍ର ସରକାର ଏହା କହିଛନ୍ତି ।

ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମାନି ଏକ ୫ ଜଣିଆ ସୁପ୍ରିମକୋର୍ଟ ବେଞ୍ଚ ଆଗରେ କହିଛନ୍ତି ଯେ ଏହି ତିନି ଅସୁରଙ୍କୁ ଲୋପ କରିବା କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ । ଯଦି ଏହି ଅସୁରକୁ କଟା ନଯାଏ ତାହା ପୁଣି ଜୀବିତ ହୋଇଯିବ ।

ସୂଚନାଯୋଗ୍ୟ ଯେ ମହାଭାରତରେ ବର୍ଣ୍ଣିତ ଜରାସନ୍ଧ ଅସୁରକୁ ଭୀମ କାଟି ଦୁଇ ଭାଗକୁ ଓଲଟା ଦିଗକୁ ପକାଇବା ପରେ ତାହାର ମୃତ୍ୟୁ ହୋଇଥିଲା ।

କେନ୍ଦ୍ର ସରକାର ଗତ ୨୦୧୬, ନଭେମ୍ବର ୮ ରେ ବିମୁଦ୍ରୀକରଣ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିଭିରେ ଏ ନେଇ ଘୋଷଣା କରିବା ପରେ ଦେଶରେ ଚହଳ ପଡ଼ିଯାଇଥିଲା । ସରକାରଙ୍କ ଅନୁସାରେ ଏହାର ଏକ ମୁଖ୍ୟ ଲକ୍ଷ୍ୟ ଥିଲା ଦେଶରୁ ଜାଲ ନୋଟ କାରବାରକୁ ସମାପ୍ତ କରିବା । କିନ୍ତୁ ଏହାର ୬ ବର୍ଷ ପରେ ବି ଦେଶରେ ଜାଲ ନୋଟ କାରବାର ବଢିଚାଲିଛି । ବିମୁଦ୍ରୀକରଣ ଏହ ବିଫଳ ଉଦ୍ୟମ ଥିଲା ବୋଲି ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି ।

 

 

ସମ୍ବନ୍ଧିତ ଖବର