ନିର୍ବାଚନରେ କଳାଟଙ୍କା, ମଦ ବନ୍ୟା: ଜବତ ହେଲାଣି ୧୦୦୦ କୋଟି

ନୂଆଦିଲ୍ଲୀ : ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ବିପୁଳ ପରିମାଣର କଳାଟଙ୍କା ଖର୍ଚ୍ଚ କରୁଛନ୍ତି। କେବଳ କଳାଟଙ୍କା ନୁହେଁ, ମଦ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ, ଉପହାର ଆଦିର ବନ୍ୟା ମଧ୍ୟ ଦେଖିବାକୁ ମିଳୁଛି। ଆସାମ, ତାମିଲନାଡ଼ୁ, କେରଳ ସହିତ କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରୀରେ ନିର୍ବାଚନ ଏବେ ଶେଷ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଛି। ଏହି ରାଜ୍ୟରେ ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ‌ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ଭୋଟ ହେବାକୁ ବାକି ରହିଛି। କିନ୍ତୁ ନିର୍ବାଚନ ହେଉଥିବା ଏହି ରାଜ୍ୟଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା ଯେତିକି କଳାଟଙ୍କା, ମଦ, ଉପହାର ଆଦି ଜବତ ହୋଇଛି ତାହାର ପରିମାଣ ୧ ହଜାର କୋଟି ଟଙ୍କା ଟପିଗଲାଣି। ଏହା ଏକ ରେକର୍ଡ। ଅତୀତରେ ଅନ୍ୟ କୌଣସି ବିଧାନସଭା ନିର୍ବାଚନ ସମୟରେ ଏତେ ପରିମାଣର କଳାଟଙ୍କା ଜବତ ହୋଇ ନଥିଲା। ୨୦୧୬ ମସିହାରେ ଏସବୁ ରାଜ୍ୟର ନିର୍ବାଚନ ସମୟରେ ମୋଟ ୨୨୬ କୋଟିର କଳାଟଙ୍କା ଜବତ ହୋଇଥିଲା।

୨୦୧୬ ତୁଳନାରେ ଚଳିତ ନିର୍ବାଚନରେ ଜବତ ହୋଇଥିବା କଳାଟଙ୍କାର ପରିମାଣ ପାଖାପାଖି ୩୪୩ ପ୍ରତିଶତ। ତେବେ କେବଳ ପଶ୍ଚିମବଙ୍ଗରେ ଜବତ ରାଶି ପରିମାଣ ପ୍ରାୟ ୫୮୧ ପ୍ରତିଶତ ଅଧିକ। ୨୦୧୬ ନିର୍ବାଚନରେ ପଶ୍ଚିମବଙ୍ଗରେ ୪୪ କୋଟି ମୂଲ୍ୟର କଳାଟଙ୍କା ଜବତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ଏପ୍ରିଲ ୧୫ ତାରିଖ ସୁଦ୍ଧା ୩୦୦ କୋଟି ଟଙ୍କା ଜବତ ହେଲାଣି। ତେବେ କଳାଟଙ୍କା ଜବତ କ୍ଷେତ୍ରରେ ରାଜ୍ୟଗୁଡ଼ିକ ମଧ୍ୟରେ ଚଳିତ ଥର ତାମିଲନାଡ଼ୁ ସବାଆଗରେ ରହିଛି। ତାମିଲନାଡ଼ୁରେ ୪୪୬ କୋଟିର କଳାଟଙ୍କା ଜବତ ହୋଇଛି। ସେହିଭଳି ଆସାମରେ ୧୨୨ କୋଟି, କେରଳରେ ୮୫ କୋଟି ଏବଂ ପୁଡ଼ୁଚେରୀରେ ୩୭ କୋଟିର କଳାଟଙ୍କା ଜବତ ହୋଇଛି। ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ସମେତ ଉପନିର୍ବାଚନ ହେଉଥିବା ସ୍ଥାନରେ ଏପ୍ରିଲ ୧୫ ତାରିଖ ସୁଦ୍ଧା ୩୪୫ କୋଟିର ନଗଦ ଟଙ୍କା ଜବତ ହୋଇଛି। ଏଥିସହିତ ୮୫ କୋଟି ଟଙ୍କାର ମଦ, ୧୬୨ କୋଟିର ଡ୍ରଗ୍ସ, ୧୩୯ କୋଟିର ଉପହାର ସାମଗ୍ରୀ ଏବଂ ୨୭୧ କୋଟି ଟଙ୍କାର ମୂଲ୍ୟବାନ ଧାତୁ ଜବତ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା କିମ୍ବା କୌଣସି ଉପହାର ଆଦି ପ୍ରଦାନ କରିବା ବାବଦରେ ଯେଉଁ ଖର୍ଚ୍ଚ ହୋଇଥାଏ ତାହା ଲାଞ୍ଚ ଭାବେ ବିବେଚିତ ହୋଇଥାଏ। ଆଇପିସିର ଧାରା ୧୭୧ ବି ଏବଂ ଜନ ପ୍ରତିନିଧି ଆଇନ ୧୯୫୧ ଅଧୀନରେ ଏହା ଅପରାଧ। ନିର୍ବାଚନ କମିସନ ପକ୍ଷରୁ ଖର୍ଚ୍ଚ ତଦାରଖ ପାଇଁ ପର୍ଯ୍ୟବେକ୍ଷପମାନଙ୍କୁ ନିଯୁକ୍ତ କରାଯାଇଛି। ଏହାସତ୍ତ୍ବେ ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡ଼ିକ ଧାର୍ଯ୍ୟ ରାଶି ଠାରୁ ଢେର୍‌ ଅଧିକ ଅର୍ଥ ଖର୍ଚ୍ଚ କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର