ନୂଆଦିଲ୍ଲୀ: ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା ପରେ ହାଓ୍ଵଲା କାରବାର ଅତି ବ୍ୟାପକ ହୋଇଥିଲା ଏବଂ ଦେଶରୁ କଳାଧନକୁ ଚାର୍ଟର୍ଡ ବିମାନରେ ଭର୍ତ୍ତି କରି ବିଦେଶ ପଠାଯାଉଥିବା ସଂପର୍କରେ କେତେକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାର ତଦନ୍ତ କରୁଛି। ଭିଆଇପିମାନେ ବ୍ୟବହାର କରୁଥିବା କେତେକ ଚାର୍ଟର୍ଡ ବିମାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରି ହାଓ୍ଵଲା ଅର୍ଥ ବାହାରକୁ ପଠାଯାଇଥିଲା। ବିଦେଶୀ ତଦନ୍ତକାରୀ ସଂସ୍ଥାଠାରୁ ଏଭଳି ସୁରାକ୍ ପାଇବା ପରେ ଭାରତୀୟ ତଦନ୍ତକାରୀ ସଂସ୍ଥାମାନେ ଏବେ ଏହାର ଖୋଳତାଡ଼ ଆରମ୍ଭ କରିଛନ୍ତି। ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇକୁ ଦୁବାଇରୁ ଏ ବାବଦ କିଛି ତଥ୍ୟ ମିଳିଥିବା ଜଣାପଡ଼ିଛି। ତେବେ ଏଭଳି ଚାର୍ଟର୍ଡ ବିମାନର ମାଲିକ କିଏ ଏବଂ ଏହାକୁ କିଏ ଭଡ଼ାରେ ନେଇଥିଲେ ସେ ସଂପର୍କରେ କୌଣସି ତଥ୍ୟ ପ୍ରମାଣ ନଥିବା ତଦନ୍ତକାରୀ ସଂସ୍ଥା କହିଛନ୍ତି। ଗତ ମେ’ ମାସରେ ସିବିଆଇ ବ୍ୟବସାୟୀ ଉପେନ୍ଦ୍ର ରାୟଙ୍କୁ ଏରୋଡ୍ରମ୍ ପାସ୍ ହାସଲ କରିବା ମାମଲାରେ ଗିରଫ କରିଥିଲା। ବେସାମରିକ ବିମାନ ଚଳାଚଳ ବିଭାଗ ଏହି ପାସ୍ ଜାରି କରିଥିଲେ ମଧ୍ୟ ଏହାକୁ ଉପେନ୍ଦ୍ର ଜାଲିଆତି କରି ହାସଲ କରିଥିଲେ। ତେବେ ଏଭଳି ପାସ୍ ହାସଲ କରିବା ପଛରେ ଉପେନ୍ଦ୍ରଙ୍କ ଉଦ୍ଦେଶ୍ୟ କ’ଣ ଥିଲା ତାହା ଏ ଯାବତ ସ୍ପଷ୍ଟ ହୋଇନାହିଁ। ଚଳିତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉପେନ୍ଦ୍ରଙ୍କ ୨୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲେ। ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛନ୍ତି ଯେ ଉପେନ୍ଦ୍ର କୌଣସି ଇଂଜିନିୟରଙ୍କ ସହିତ ମିଶି ଚାର୍ଟର୍ଡ ବିମାନରେ ଟଙ୍କା ଭର୍ତ୍ତି କରି ବିଦେଶ ପଠାଉଥିଲା। ଏ ବାବଦରେ ବିମାନର ମାଲିକ କିମ୍ବା ପାଇଲଟ୍ କିଛି ଜାଣିପାରୁ ନଥିଲେ। ଭିଆଇପି ବିମାନର ଅଧିକ ଯାଞ୍ଚ ହେଉନଥିବାରୁ ଏହି କାରାନାମା ସଂପର୍କରେ କିଛି ଜଣାପଡ଼ୁନଥିଲା। ତଦନ୍ତକାରୀ ସଂସ୍ଥା ସୂତ୍ରରୁ ଜଣାପଡ଼ିଛି ଯେ ଏଭଳି ଗୋପନୀୟ ଭାବେ ଏହି କାର୍ଯ୍ୟ ହେଉଥିଲା ଯେ ବିମାନ ଭଡ଼ା ନେଇଥିବା ବ୍ୟକ୍ତିଙ୍କ ସଂପର୍କରେ ମଧ୍ୟ କୌଣସି ସୁରାକ୍ ରହୁନଥିଲା। ଏୟାରଓ୍ଵାନ୍ ନାମକ ଏକ କମ୍ପାନି ସହି ଉପେନ୍ଦ୍ର ରାୟ ସଂପୃକ୍ତ ଥିଲେ ଏବଂ ସେ ନିଜ ବିମାନକୁ ଅଧିକାଂଶ ସମୟରେ ଦୁବାଇରେ ରଖୁଥିଲେ। ଯାଞ୍ଚରୁ ବର୍ତ୍ତିବା ପାଇଁ ଦୁବାଇ ନିକଟରେ ଏକ ଛୋଟ ଏୟାରପୋର୍ଟରେ ବିମାନକୁ ରଖାଯାଉଥିଲା। ଏହା ବ୍ୟତୀତ ଏହି ବିମାନ ରୁଷ୍ ମଧ୍ୟ ଯାଇଥିବା ଜଣାପଡ଼ିଛି। ଉପେନ୍ଦ୍ରଙ୍କ ବେଆଇନ କାରବାର ସଂପର୍କରେ ସିବିଆଇ କହିଛି ଯେ ଏ ବାବଦରେ ସିବିଆଇ ନିକଟରେ କୌଣସି ତଥ୍ୟ ନାହିଁ । ତେବେ ହରିୟାଣାର ହିିସାରରେ ଏହି ବିମାନରେ ଟଙ୍କା ଭର୍ତ୍ତି କରାଯାଉଥିଲା ବୋଲି ସନ୍ଦେହ କରାଯାଉଛି। ତଦନ୍ତକାରୀ ସଂସ୍ଥାମାନେ ଏବେ ଏଭଳି ଉଡ଼ାଣ ନେଇ ଖୋଳତାଡ଼ କରୁଛନ୍ତି। ଏ ବାବଦରେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଅଧିକାରୀଙ୍କୁ ତଥ୍ୟ ମଗାଯାଇଛି।
ବିଦେଶକୁ କଳାଧନ ଚାଲାଣ: ଭିଆଇପି ବିମାନରେ ଯାଉଥିଲା ଟଙ୍କା
/sambad/media/post_attachments/wp-content/uploads/2018/09/npq7dtio_new-notes_625x300_31_August_18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)