ଦୂରତମ କୃଷ୍ଣଗର୍ତ୍ତ ଠାବ

ସୂର୍ଯ୍ୟଙ୍କ ଠାରୁ ୮୦ କୋଟି ଗୁଣ ବଡ଼

ନୂଆଦିଲ୍ଳୀ: ଅନ୍ତରୀକ୍ଷର ଅନ୍ୟତମ ମହାଜାଗତିକ ବସ୍ତୁ କୃଷ୍ଣଗର୍ତ୍ତର ଅବସ୍ଥିତି ଏବଂ ତାହାର ଆଚରଣରେ ରହିଥିବା ଚମତ୍କାରିତା ବର୍ଷ ବର୍ଷ ଧରି ମହାକାଶ ବିଜ୍ଞାନୀମାନଙ୍କୁ ଆଲୋଡ଼ିତ କରି ରଖି ଆସିଛି। କୋଟି କୋଟି ଆଲୋକବର୍ଷ ଦୂରରେ ବିଭିନ୍ନ ଛାୟାପଥରେ ରହିଥିବା ଏହି ମହାକର୍ଷଣ ଆକର୍ଷକ କୃଷ୍ଣଗର୍ତ୍ତଗୁଡ଼ିକ ଧୀରେ ଧୀରେ ଆବିଷ୍କୃତ ହେବାରେ ଲାଗିଛନ୍ତି। ତେବେ ନିକଟରେ ଦୀର୍ଘତମ ଦୂରତାରେ ଠାବ ହୋଇଥିବା କୃଷ୍ଣଗର୍ତ୍ତର ବୈଚିତ୍ର୍ୟ ହିଁ ଅନ୍ତରୀକ୍ଷ ବିଜ୍ଞାନୀମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଆମ ସୌରମଣ୍ଡଳର ତ୍ରାଣକର୍ତ୍ତା ସୂର୍ଯ୍ୟଙ୍କ ବସ୍ତୁତ୍ୱର ପ୍ରାୟ ୮୦ କୋଟି ଗୁଣ ବସ୍ତୁତ୍ୱ ଧାରଣ କରିଥିବା ଏହି ସଦ୍ୟ ଆବିଷ୍କୃତ କୃଷ୍ଣଗର୍ତ୍ତଟି ଏହାର ବୟସ ତୁଳନାରେ ଯଥେଷ୍ଟ ବିଶାଳ ବୋଲି କୁହାଯାଉଛି।

ଉଲ୍ଲେଖ ଥାଉ କି, ମହାଜାଗତିକ ବିସ୍ଫୋରଣ ବା ବିଗ୍‌ ବ୍ୟାଙ୍ଗ୍‌ ପରେ ବ୍ରହ୍ମାଣ୍ଡ ସୃଷ୍ଟି ହେବା ସହ ଏହାର ବୃଦ୍ଧିି ପ୍ରକ୍ରିୟା ମଧ୍ୟ ଜାରି ରହିଛି ବୋଲି ଆମ ସମସ୍ତଙ୍କର ଧାରଣା ରହିଛି। ତେବେ ଏହି ବ୍ରହ୍ମାଣ୍ଡର ମାତ୍ର ୫ ପ୍ରତିଶତ ସୃଷ୍ଟି ହୋଇଥିବା ବେଳେ ସଦ୍ୟ ଠାବ ହୋଇଥିବା କୃଷ୍ଣଗର୍ତ୍ତର ସୃଷ୍ଟି ବୋଲି କୁହାଯାଉଛି। ସାଧାରଣତଃ କୃଷ୍ଣଗର୍ତ୍ତରୁ ଆଲୋକ କଣିକା ମଧ୍ୟ ମୁକୁଳି ଆସିପାରେ ନାହିଁ ବୋଲି ତାହାକୁ ଠାବ କରିବା ମୁସ୍କିଲ୍‌। ତେବେ ଏହି ବିଶାଳ ନୂତନ କୃଷ୍ଣଗର୍ତ୍ତ ଚାରିପାଖରେ ବିଛୁରି ହୋଇ ପଡୁଥିବା ଆଭା ହିଁ ଏହାକୁ ଧାରଣ କରିଥିବା ସାରା ଛାୟାପଥକୁ ଫିକା କରିଦେଲା ଭଳି ଲାଗୁଛି। ତାହା ପାଖରୁ ଆଲୋକ ରଶ୍ମି ଆମ ଭୂପୃଷ୍ଠରେ ପହଞ୍ଚିବାକୁ ୧୩୦୦ କୋଟି ବର୍ଷ ଲାଗିଥିବ ବୋଲି ଆକଳନ କରାଯାଇଥିବା ବେଳେ ବିଗ୍‌ ବ୍ୟାଙ୍ଗର ୬୯ କୋଟି ବର୍ଷ ପରେ ଏହା ସୃଷ୍ଟି ହୋଇଥିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର