ଶ୍ରୀନଗର:ସୀମାପାର ଆତଙ୍କବାଦକୁ ରୋକିବା ପାଇଁ ଭାରତର କଡ଼ା କାର୍ଯ୍ୟାନୁଷ୍ଠାନରେ ହତୋତ୍ସାହିତ ପାକିସ୍ତାନ ଏବେ କଶ୍ମୀରରେ ଆଖିବୁଜା ଗୁଳିଗୋଳା ବର୍ଷା କରି ସୀମାନ୍ତ ଗ୍ରାମଗୁଡ଼ିକରେ ଆତଙ୍କ ସୃଷ୍ଟି କରିଛି। ସପ୍ତାହକ ତଳେ ଭାରତର କଡ଼ା ସାମରିକ କାର୍ଯ୍ୟାନୁଷ୍ଠାନ ପରେ ପାକ୍ ରେଂଜର୍ସମାନେ ବିଗତ ୪ ଦିନ ହେଲା ଗୁଳିବର୍ଷା ଜାରି ରଖିଛନ୍ତି ଏବଂ ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। କଶ୍ମୀରର ଆର୍ଣ୍ଣିଆ, କ୍ରିଷ୍ଣାଘାଟି, ସାମ୍ବା ଏବଂ ଆର୍ଏସ୍ପୁରା ସେକ୍ଟରରେ ପାକ୍ ସେନାର ପ୍ରବଳ ମୋର୍ଟାର ମାଡ଼ ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। ସୀମାବର୍ତ୍ତୀ ବିଭିନ୍ନ ଗ୍ରାମରୁ ପ୍ରାୟ ୪୦ ହଜାର ବାସିନ୍ଦା ଘର ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ୧୮ ହଜାର ଜନସଂଖ୍ୟା ବିଶିଷ୍ଟ ଆର୍ଣ୍ଣିଆ ଆଜି ଜନଶୂନ୍ୟ ହୋଇଯାଇଛି। ସାମ୍ବା ଓ ଆର୍ପୁରା ସେକ୍ଟରରେ ୧୫ ହଜାର ଲୋକ ଗାଁ ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ଏହି ଅଂଚଳରେ ସମସ୍ତ ବିଦ୍ୟାଳୟ, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ କୃଷିକାର୍ଯ୍ୟ ଠପ୍ ହୋଇଯାଇଛି। ମୋର୍ଟାର ମାଡ଼ରେ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଗତ ୩ ଦିନ ମଧ୍ୟରେ ପାକ୍ଗୁଳିରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି। ଆଜି ଅପରାହ୍ନରେ ଗୁଳିବର୍ଷା ଥମିଥିଲେ ମଧ୍ୟ କେତେବେଳେ କିଭଳି ପରିସ୍ଥିତି ହେବ କହିହେଉନାହିଁ। ଉଭୟ ପଟୁ ଭାରୀ ଯୁଦ୍ଧାସ୍ତ୍ରରେ ଜବାବ ଦିଆଯାଉଥିବାରୁ ପରିସ୍ଥିତି ତୀବ୍ର ଉତ୍ତେଜନାପୂର୍ଣ୍ଣ ରହିଛି। ପାକିସ୍ତାନ ପଟୁ ଅଚାନକ କୌଣସି ବଡ଼ ଆକ୍ରମଣ ଆଶଙ୍କା କରି ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଅତି ସ୍ପର୍ଶକାତର ୧୪ଟି ଗ୍ରାମରୁ ସମସ୍ତ ବାସିନ୍ଦାଙ୍କୁ ଖାଲି କରାଯାଇଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ସମଗ୍ର ସୀମା ଅଂଚଳରେ ହାଇ ଆଲର୍ଟ ଜାରି କରାଯିବା ସହ ବିଭିନ୍ନ ସାମରିକ ଘାଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ତର୍ଜାତୀୟ ସୀମାରେ ଅଧିକ ସଂଖ୍ୟକ ଯବାନଙ୍କୁ ମୁତୟନ କରାଯାଇଛି। ସୀମାନ୍ତ ଅଂଚଳରେ ସମସ୍ତ ବିଦ୍ୟାଳୟକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଦକ୍ଷିଣ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯିବା ସହ ସୀମାଠାରୁ ୫ କିମି ମଧ୍ୟରେ ଥିବା ଗାଁଗୁଡ଼ିକୁ ଖାଲି କରାଯାଇଛି। ଗୁଳି ବର୍ଷା ଆଳରେ ଭାରତ ଭିତରେ ପଶିବା ପାଇଁ ଶତାଧିକ ଆତଙ୍କବାଦୀ ପାକ୍ ଅଧିକୃତ କଶ୍ମୀରରେ ତୟାର ରହିଥିବାରୁ ସମସ୍ତ ସମ୍ଭାବ୍ୟ ପ୍ରବେଶ ଅଂଚଳରେ ବ୍ୟାପକ ସତର୍କତା ଗ୍ରହଣ କରାଯାଇଛି। ଉପଗ୍ରହ ଛବି ମାଧ୍ୟମରେ ସ୍ଥିତି ଆକଳନ କରି ସୈନ୍ୟ ମୁତୟନ କରାଯାଉଛି ।
ଖାଲି ହେଉଛି ସୀମାନ୍ତ ଗାଁ
/sambad/media/post_attachments/wp-content/uploads/2018/01/mortar-shell-jK-sp.jpg.image_.975.568.jpg)