ଆତ୍ମଘାତୀ ବିସ୍ଫୋରଣ, ୧୦୮ ମୃତ

ଇସଲାମାବାଦ୍‌: ପାକିସ୍ତାନର ବାଲୁଚିସ୍ତାନରେ ଆଜି ଏକ ନିର୍ବାଚନୀ ସଭାରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ଯୋଗୁଁ ୧୦୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ୧୩୦ ଟପିବା ଆଶଙ୍କା କରାଯାଉଛି। ଆସନ୍ତା ଜୁଲାଇ ୨୫ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଥିବାବେଳେ ଏହାପୂର୍ବରୁ ନିର୍ବାଚନୀ ର‍୍ୟାଲିଗୁଡ଼ିକୁ ଟାର୍ଗେଟ୍‌ କରୁଛନ୍ତି ଆତଙ୍କବାଦୀ। ବାଲୁଚିସ୍ତାନ ପ୍ରଦେଶର ମାଂସଗରେ ଆଜି ଅପରାହ୍ନରେ ର‍୍ୟାଲି ଚାଲିଥିବା ସମୟରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏଥିରେ ୨ ଜଣ ଆତ୍ମଘାତୀ ଆତଙ୍କବାଦୀ ସାମିଲ ଥିବା କୁହାଯାଉଛି। ଏହା ବ୍ୟତୀତ ପାକିସ୍ତାନର ଉତ୍ତର ପଶ୍ଚିମରେ ଜଣେ ରାଜନେତାଙ୍କ ଗାଡ଼ିରେ ବୋମା ବସ୍ଫୋରଣ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୧୦ ତାରିଖରେ ମଧ୍ୟ ଏଏନ୍‌ପି (ଅଓ୍ଵାମୀ ନ୍ୟାସନାଲ ପାର୍ଟି)ର ଏକ ନିର୍ବାଚନୀ ସଭାରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ବେଲୁଚିସ୍ତାନ ବିସ୍ଫୋରଣ ପରେ ସମଗ୍ର ପ୍ରଦେଶରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ସୁରକ୍ଷା ଦୃଷ୍ଟିରୁ ନିର୍ବାଚନୀ ସଭାଗୁଡ଼ିକୁ ବାତିଲ କରଦିଆଯାଇଛି।

ସମ୍ବନ୍ଧିତ ଖବର